ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ପଶ୍ଚିମ ଓଡ଼ିଶାର ଦାବି ଉପରେ ଆଲୋଚନା ଚାଲିଛି : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଯେ, ଏହି ଦାବି କେବଳ ଓଡ଼ିଶା ନୁହେଁ, ଅନେକ ରାଜ୍ୟରୁ ଉଠିଛି। ହାଇକୋର୍ଟ ବିଭାଜନ ଓ ବେଞ୍ଚ ପ୍ରତିଷ୍ଠା ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଯଶବନ୍ତ ସିଂହ କମିସନ୍ ଦ୍ୱାରା ହାଇକୋର୍ଟ ବେଞ୍ଚ ପାଇଁ ମାପଦଣ୍ଡ ସ୍ଥିର କରାଯାଇଛି। ଓକିଲ ସଂଘ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବେଞ୍ଚ ସ୍ଥାପନା ନେଇ ଆଭ୍ୟନ୍ତରୀଣ ଆଲୋଚନା କରୁଛି।
ଆଜି ଯାଏଁ କେନ୍ଦ୍ର ସରକାରଙ୍କୁ ଏକ ସମନ୍ୱିତ ପ୍ରସ୍ତାବ ଦିଆଯାଇନାହିଁ। ରାଜ୍ୟ ସରକାର ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଥାନ ଓ ଅନୁଷଙ୍ଗିକ ବ୍ୟବସ୍ଥା ନେଇ ପ୍ରସ୍ତୁତ ଅଛନ୍ତି। ଓକିଲ ସଂଘ ସହିତ ଚର୍ଚ୍ଚା ଚାଲିଥିବା ବେଳେ ଏକ ସମ୍ମିତ ପ୍ରସ୍ତାବ ପଠାଇବା ଆବଶ୍ୟକ ବୋଲି ମନ୍ତ୍ରୀ ଜଣାଇଛନ୍ତି।
ଏଣେ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ମହାରାଷ୍ଟ୍ରରେ କୋହ୍ଲାପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବା ଘୋଷଣାକୁ ସ୍ୱାଗତ ଜଣାଇଛନ୍ତି। ମାତ୍ର, ସେ ପଶ୍ଚିମ ଓଡ଼ିଶାର ଦାବି ଦଶନ୍ଧି ଧରି ଅସ୍ଥିର ହୋଇରହିଥିବା ଦୁର୍ଭାଗ୍ୟ ବୋଲି କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଚେଷ୍ଟା ସତ୍ତ୍ୱେ ଏହା ବାସ୍ତବରେ ପରିଣତ ହୋଇନାହିଁ। ରୋହିତ ପ୍ରଶ୍ନ ଛାଡିଛନ୍ତି, “ମହାରାଷ୍ଟ୍ରର ବିଜେପି ସରକାର ଏହା କରିପାରିଲେ, ଓଡ଼ିଶାରେ କାହିଁକି ହେଲା ନାହିଁ?”
ଏହି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନା ଚାଲିଛି ଏବଂ ଶୀଘ୍ର ଏକ ସ୍ପଷ୍ଟ ନିଷ୍ପତ୍ତି ଆସିବା ଆଶା କରାଯାଉଛି।
