EducationFeaturedLatestNews

ପ୍ରଥମ ପର୍ଯ୍ୟାୟରେ ଖୋଲିବ ୮୩୫ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୮୩୫ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ଏହି ସ୍କୁଲଗୁଡ଼ିକ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ସ୍ଥାପିତ ହେବ ଏବଂ ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଯାନବାହାନ ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ ବିଦ୍ୟାଳୟ ନିର୍ମାଣ ପାଇଁ ସର୍ବାଧିକ ୭ କୋଟି ଟଙ୍କା ବ୍ୟୟ ହେବ ବୋଲି ସରକାରୋକ୍ତି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଚାଲିବ ଏବଂ ଏଗୁଡ଼ିକ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ ।

ମୁଖ୍ୟମନ୍ତ୍ରୀ ଦୁର୍ଗମ ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ରହିଥିବା ପିଲାଙ୍କ ପାଇଁ ମାଗଣା ଯାନବାହାନ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସ୍କୁଲ ପାଇଁ ଅତି କମରେ ୨ ଏକର ଜମି ଆବଶ୍ୟକ ହେବ ଏବଂ ଭବିଷ୍ୟତରେ ଏଗୁଡ଼ିକୁ ହାଇସ୍କୁଲ ସ୍ତରକୁ ଅପଗ୍ରେଡ୍ କରାଯିବ ।

ଏହି ବିଦ୍ୟାଳୟଗୁଡ଼ିକରେ STEM (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ଶିକ୍ଷା ପ୍ରଣାଳୀ ଅନୁସରଣ କରାଯିବ । ଏଥିରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ସୃଜନଶୀଳତା ଏବଂ ଜୀବନ କୌଶଳ ଉପରେ ଗୁରୁତ୍ୱ ଦିଆଯିବ । ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନକୁ ମଜଭୁତ କରିବା ପାଇଁ ମୂଳଦୁଆ ପ୍ରଶିକ୍ଷଣ ଦିଆଯିବ ।

ଏହି ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗର ସଚିବ ସଂଜୀବ ମିଶ୍ର, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଆଦି ଉଚ୍ଚାଧିକାରୀମାନେ ଉପସ୍ଥିତ ଥିଲେ ।