FeaturedLatestNews

ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର୍ ହେଲେ ମାଧୁରୀ ଦୀକ୍ଷିତ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର (ସଂକେତ ଟିଭି): ଆଜି ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଜନତା ମଇଦାନରେ ଏକ ବିଶାଳ ହସ୍ତତନ୍ତ ମେଳା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତିରେ ମେଳାର ଉଦ୍ଘାଟନ କରାଯାଇଛି। ଏଥିରେ ବଲିଉଡ୍ ଅଭିନେତ୍ରୀ ଓ ‘ଧକ୍ଧକ୍ ଗାର୍ଲ’ ନାମରେ ପରିଚିତା ମାଧୁରୀ ଦୀକ୍ଷିତ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ମାଧୁରୀ ଦୀକ୍ଷିତଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ଏକ ବର୍ଷ ପାଇଁ ମାଧୁରୀ ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତକଳା ଉତ୍ପାଦଗୁଡ଼ିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାର ସଂସ୍କୃତି ଓ ଶିଳ୍ପକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମାଧୁରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।”

ଏହି କାର୍ଯ୍ୟକ୍ରମରେ ମାଧୁରୀ ଦୀକ୍ଷିତ ଓଡ଼ିଶାର ହସ୍ତକଳା ଏବଂ ଶାଢୀର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାର ହସ୍ତତନ୍ତ ଶିଳ୍ପ ଏକ ଅନନ୍ୟ ସାଂସ୍କୃତିକ ଐଶ୍ୱର୍ଯ୍ୟ। ଏହାକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଁ ଆନନ୍ଦିତ।” ଜାତୀୟ ହସ୍ତତନ୍ତ ଦିବସ-୨୦୨୫ ଅବସରରେ ଆୟୋଜିତ ‘EKTA’ କାର୍ଯ୍ୟକ୍ରମରେ ମାଧୁରୀଙ୍କ ଉପସ୍ଥିତି ଏହାକୁ ଆକର୍ଷଣୀୟ କରିଥିଲା।

ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତତନ୍ତ କାରିଗରମାନେ ନିଜ ନିଜର କଳାକୃତି ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା ମଧ୍ୟ ଘୋଷଣା କରାଯାଇଛି।