FeaturedGeneralLatest

ଭାରତ ସିନ୍ଧୁ ନଦୀରେ ଡ୍ୟାମ୍ ନିର୍ମାଣ କଲେ ଆମେ ମିସାଇଲରେ ଉଡାଇ ଦେବୁ : ଆସିମ୍ ମୁନିର

ୱାଶିଂଟନ୍ (ସଂକେତ ଟିଭି): ପାକିସ୍ତାନୀ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍ ମୁନିର ଆମେରିକାରେ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଫ୍ଲୋରିଡାର ଟାମ୍ପାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଭାରତ ସିନ୍ଧୁ ନଦୀରେ ଡ୍ୟାମ୍ ନିର୍ମାଣ ସମ୍ପୂର୍ଣ୍ଣ କଲେ, ଆମେ ୧୦ଟି ମିଶାଇଲରେ ତାକୁ ଧ୍ୱଂସ କରିଦେବୁ। ପାକିସ୍ତାନ ଏକ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର, ଯଦି ଆମ ଅସ୍ତିତ୍ୱ ସଙ୍କଟାପନ୍ନ ହୁଏ, ଆମେ ଅଧା ବିଶ୍ୱକୁ ନଷ୍ଟ କରିଦେବୁ।”

ଗତ ଜୁନ୍ ୧୮ରେ ମୁନିର ଆମେରିକା ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିଥିଲେ। ଟ୍ରମ୍ପ୍ଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ସେ ସୁପାରିସ ମଧ୍ୟ କରିଥିଲେ। ଏହି ପୃଷ୍ଠଭୂମିରେ, ଟ୍ରମ୍ପ୍ ଭାରତ ଉପରେ ଟାରିଫ୍ ବୃଦ୍ଧି କରିବା ପରେ ଦ୍ୱିପକ୍ଷୀୟ ସମ୍ପର୍କ ତିକ୍ତ ହୋଇଛି। ବିଶେଷଜ୍ଞମାନେ କହୁଛନ୍ତି, ଆମେରିକାର ପରୋକ୍ଷ ସମର୍ଥନ ନଥିଲେ ପାକିସ୍ତାନ ଏପରି ଆକ୍ରମଣାତ୍ମକ ଭାଷ୍ୟ ବ୍ୟବହାର କରିନଥାନ୍ତା।

ଟାମ୍ପାରେ ୟୁଏସ୍ ସେଣ୍ଟ୍ରାଲ କମାଣ୍ଡର (ସେଣ୍ଟକମ୍) ଜେନେରାଲ ମାଇକେଲ ଇ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେଇ ମୁନିର ଏହି ମନ୍ତବ୍ୟ ଦେଇଥିଲେ। ସେ ଜୋର୍ ଦେଇ କହିଛନ୍ତି, “ସିନ୍ଧୁ ନଦୀ ଭାରତୀୟମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଆମ ପାଖରେ ପ୍ରଚୁର ମିଶାଇଲ୍ ରହିଛି, ଆଲ୍ଲାଙ୍କ କୃପାରେ ଆମେ କାହାକୁ ଡରିନାହିଁ।”

ଏପ୍ରିଲ୍ ୨୨ରେ ପଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତାପ ବୃଦ୍ଧି ପାଇଥିଲା। ଟ୍ରମ୍ପଙ୍କ ଟାରିଫ୍ ନୀତି ଏବଂ ମୁନିର ଦ୍ୱିତୀୟ ଆମେରିକା ଯାତ୍ରା ଏହି ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞମାନେ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି ଏବଂ ପାକିସ୍ତାନୀ ପ୍ରତିଷ୍ଠାନଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।