FeaturedLatestNewsPolitics

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ପ୍ରସ୍ତୁତ ହେଲା ଦଳୀୟ ରଣନୀତି

ଭୁବନେଶ୍ୱର(ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତି, ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ରାଜ୍ୟର ରାଜନୈତିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଛି।

ବୈଠକରେ ଦଳର ବରିଷ୍ଠ ନେତା, ଜିଲା ସଭାପତିମାନେ ଏବଂ କୋର କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଭାବରେ ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ଅମର ପଟ୍ଟନାୟକ, ରୋହିତ ଜୋଶେଫ ତିର୍କି, ସାଲୁଗା ପ୍ରଧାନ ଏବଂ ପ୍ରଦୀପ ଦିଶାରୀ ଆଦି ନେତାମାନେ ଏହି ବୈଠକରେ ଯୋଗଦାନ କରିଥିଲେ।

ସୁତ୍ରମାନଙ୍କ ଅନୁସାରେ, ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି, ନିର୍ବାଚନୀ ଷ୍ଟ୍ରାଟେଜି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ମଧ୍ୟ ଆଲୋଚନା ହୋଇଥାଇପାରେ। ନବୀନ ପଟ୍ଟନାୟକ ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ଏହା ହେଉଛି ନବୀନ ନିବାସରେ ଅନୁଷ୍ଠିତ ପ୍ରଥମ ବଡ଼ ବୈଠକ।

ଜୁନ୍ ୨୦ ତାରିଖରେ ନବୀନ ପଟ୍ଟନାୟକ ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅପରେସନ କରାଇଥିଲେ। ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୨ରେ ଅପରେସନ୍ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଜୁଲାଇ ୭ରେ ସେ ଡିସଚାର୍ଜ ହୋଇ ଜୁଲାଇ ୧୨ରେ ଓଡ଼ିଶା ଫେରିଥିଲେ, ଯେଉଁଠାରେ ଦଳୀୟ କର୍ମୀ ଓ ନେତାମାନଙ୍କଦ୍ୱାରା ତାଙ୍କୁ ଜୋର୍ଦାର ସ୍ୱାଗତ ଜଣାଯାଇଥିଲା।

ବୈଠକ ଶେଷରେ କୌଣସି ନିଷ୍ପତ୍ତି ନିଆଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତଥାପି, ଆଗାମୀ ଦିନଗୁଡ଼ିକରେ ଦଳ ନୂଆ ରଣନୀତି ଘୋଷଣା କରିପାରେ ବୋଲି ଆଶା କରାଯାଉଛି।