ରାଜ୍ୟରେ ନିଯୁକ୍ତି ହେବେ ୧,୮୪୦ ଜଣ ଡାକ୍ତର ଏବଂ ୫,୦୦୦ ପାରାମେଡିକାଲ୍ ଷ୍ଟାଫ୍
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ଓ ପାରାମେଡିକାଲ୍ ପଦବୀଗୁଡିକୁ ଶୀଘ୍ର ପୂରଣ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ୧,୮୪୦ ଜଣ ଡାକ୍ତର ଏବଂ ୫,୦୦୦ରୁ ଅଧିକ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇବେ । ଆଦିବାସୀ ଅଧ୍ୱଷିତ ଅଞ୍ଚଳଗୁଡିକରେ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଲୋକସେବା ଭବନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିବା ବୈଠକରେ ଡାକ୍ତର ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ସ୍ଥାନରେ ଉପଯୁକ୍ତ ସଂଖ୍ୟାରେ ମେଡିକାଲ୍ ଅଧିକାରୀ ନିଯୁକ୍ତି ପାଇଁ ସୁବ୍ୟବସ୍ଥା କରାଯିବ ।
ବିଭିନ୍ନ ମେଡିକାଲ୍ କଲେଜରେ ଖାଲି ପଡ଼ିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀଗୁଡିକୁ ମଧ୍ୟ ଶୀଘ୍ର ପୂରଣ କରାଯିବ । ଏଥିସହିତ ମେଡିକାଲ୍ କଲେଜରେ ପି.ଜି. ସିଟ୍ ସଂଖ୍ୟା ବୃଦ୍ଧି, ଭିତ୍ତିଭୂମି ବିକାଶ, ଟେକ୍ନିକାଲ୍ ଷ୍ଟାଫ୍ ନିଯୁକ୍ତି, ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ପୂରଣ ଆଦି ବିଷୟଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଏସବୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତ୍ୟେକ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଟ୍ରମା କେୟାର ସେଣ୍ଟର ସ୍ଥାପନ, ଦୁର୍ଗମ ଅଞ୍ଚଳଗୁଡିକରେ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି, ଏବଂ ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ଆଦି ବିଷୟଗୁଡିକୁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ସହକାରେ ଉପସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସମସ୍ୟା, ନିଯୁକ୍ତି, ବେତନ ଏବଂ ମେଡିକାଲ୍ ଶିକ୍ଷାରେ ସିଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
