FeaturedGeneralLatestPolitics

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ବିରୋଧରେ ରହିଛି ଆପରାଧିକ ମାମଲା

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଏକ ରିପୋର୍ଟରେ ଜଣାପଡିଛି। ଏଥିମଧ୍ୟରୁ ୩୩% ମୁଖ୍ୟମନ୍ତ୍ରୀଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ଆପରାଧିକ ମାମଲା ରହିଛି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍ଜିଓ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।

ରିପୋର୍ଟ ଅନୁସାରେ, ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ଅର୍ଥାତ ୪୦% ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ନାମରେ ସର୍ବାଧିକ ୮୯ଟି ମାମଲା ବିଚାରାଧୀନ ଅଛି। ତାଙ୍କ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ବିରୋଧରେ ୪୭ଟି ମାମଲା ରହିଛି।

ଅନ୍ୟାନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ୧୯ଟି, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ୧୩ଟି ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ୫ଟି ମାମଲା ରହିଛି। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନବିସ ଓ ହିମାଚଳ ପ୍ରଦେଶର ସୁଖବୀନ୍ଦର ସିଂ ସୁଖୁଙ୍କ ବିରୋଧରେ ୪ଟି ଲେଖାଏଁ ମାମଲା ରହିଛି। କେରଳର ପି. ବିଜୟନଙ୍କ ନାମରେ ୨ଟି ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୋଧରେ ଗୋଟିଏ ମାମଲା ରହିଛି।

ସଙ୍ଗିନ ମାମଲାରେ ୩୦ ଦିନ ପାଇଁ ଗିରଫ ହେଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ପଦରୁ ହଟାଇବା ନେଇ କେନ୍ଦ୍ର ସରକାର ଆଣିଥିବା ତିନୋଟି ବିଲ୍ ସଂସଦରେ ପାରିତ ହେବା ପରେ ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।