FeaturedLatestNews

ଉତ୍ତର ଓଡିଶାରେ ବନ୍ୟା: ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ

ଭୁବନେଶ୍ବର (ସଂକେତ ଟିଭି): ଉତ୍ତର ଓଡିଶାର ବିଭିନ୍ନ ଅଞ୍ଚଳରେ ଲଘୁଚାପର ପ୍ରଭାବ ଯୋଗୁଁ ପ୍ରବଳ ବର୍ଷା ହୋଇଛି। ଏହାର ଫଳସ୍ୱରୂପ ବୈତରଣୀ, ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢ଼ୀ ଦେଇଥିବା ସୂଚନା ଅନୁଯାୟୀ, ବୈତରଣୀ ଏବଂ ସୁବର୍ଣ୍ଣରେଖା ନଦୀରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବାରୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଶ୍ରୀ ପାଢ଼ୀ କହିଛନ୍ତି ଯେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଚାଲିତ ବର୍ଷରେ ସୁବର୍ଣ୍ଣରେଖାରେ ଏହା ପଞ୍ଚମ ଥର ପାଇଁ ବନ୍ୟା ଆସିଛି। ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଧରଣର ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା ହୋଇଛି। ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ, କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ ମିଲିମିଟର, ଉପର ବ୍ରାହ୍ମଣୀରେ ୩୫ ମିଲିମିଟର ଏବଂ ଉପର ମହାନଦୀରେ ୩୧ ମିଲିମିଟର ବର୍ଷା ହୋଇଛି, ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ହୀରାକୁଦ ଡ୍ୟାମରୁ ୧୨ଟି ଗେଟ ଖୋଲାଯିବା ନିମନ୍ତେ ପ୍ରସ୍ତୁତି ଚାଲିଛି, ଯାହା ଫଳରେ ବନ୍ୟା ପରିସ୍ଥିତି ଆହୁରି ବିଗଡିବାର ଆଶଙ୍କା ରହିଛି। ଡ୍ୟାମରେ ବର୍ତ୍ତମାନ ୬୨୧.୬୫ ଫୁଟ ଜଳସ୍ତର ରହିଛି ଏବଂ ପ୍ରତି ସେକେଣ୍ଡେ ୧.୯୮ ଲକ୍ଷ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ୮ଟି ଗେଟ ଦେଇ ୧.୬୦ ଲକ୍ଷ ଘନ ଫୁଟ ଜଳ ନିଷ୍କାସନ ହେଉଛି। ଏହିସହିତ, ରେଙ୍ଗାଲି ଡ୍ୟାମରୁ ଦୁଇଟି ଗେଟ ଦେଇ ପ୍ରତି ସେକେଣ୍ଡେ ୩,୪୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।

ବନ୍ୟା ପରିସ୍ଥିତି ମୋକାବିଲା ପାଇଁ ପ୍ରଶାସନ ସଜାଗ ରହିଛି। ଯାଜପୁରରେ ମୁଖ୍ୟଯନ୍ତ୍ରୀ ଏବଂ ଧାମନଗରରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କ୍ୟାମ୍ପ କରିଛନ୍ତି। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ମରାମତି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି।