ଅଳଙ୍କାର ଦୋକାନ ଲୁଟ୍ ଘଟଣା: ୪ ଜଣ ଗିରଫ, ୯ ଲକ୍ଷ ଟଙ୍କା ସହ ସୁନା-ରୂପା ଉଦ୍ଧାର
ଭୁବନେଶ୍ବର (ସଂକେତ ଟିଭି): ଖୋର୍ଦ୍ଧା ଜିଲ୍ଲା ଜିଂକିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଗତ ୨୪ ତାରିଖରେ ସ୍ବର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରେ ଘଟିଥିବା ବଡ଼ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ମଙ୍ଗଳବାର ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଲୁଟି ଯାଇଥିବା ଅଧିକାଂସ ସମ୍ପତ୍ତି ଉଦ୍ଧାର କରିଛି।
ଘଟଣାଟି ଗତ ୨୪ ତାରିଖ ଦିନ ଦ୍ୱିପହର ବେଳେ ଘଟିଥିଲା। ସେହିଦିନ ୧୦ ଜଣ ଡକାୟତ ମୁଖା ଏବଂ ହେଲମେଟ ପିନ୍ଧି ବନ୍ଧୁକ, ବମ୍ ସହିତ ଅଳଙ୍କାର ଦୋକାନଟିକୁ ଲୁଟି କରିଥିଲେ। ସେମାନେ ରୂପା, ସୁନାର ଅଳଙ୍କାର ସହିତ ନଗଦ ଟଙ୍କା ଲୁଟ୍ କରି ବାଇକ୍ରେ ଫେରାର ହୋଇଯାଇଥିଲେ। ଲୁଟ୍ ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ ଧାରଣ ହୋଇଥିବା ଦେଖାଯାଏ।
ଅଳଙ୍କାର ପ୍ରତିଷ୍ଠାନର ମାଲିକ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଥିଲା। ଜିଲ୍ଲାର ପୋଲିସ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ୩ଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଦେଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ଗିରଫକୃତ ୪ ଜଣଙ୍କ ନିକଟରୁ ୯୦୦ ଗ୍ରାମ ସୁନା, ୨ କିଲୋ ୩୬୩ ଗ୍ରାମ ରୂପା ଏବଂ ନଗଦ ୯ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଏଥିସହ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ମାରଣାସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।
ଏହି ଲୁଟ୍ ଘଟଣାରେ ମୋଟ ୧୦ ଜଣ ସମ୍ପୃକ୍ତ ଥିବା ବେଳେ ବାକି ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ପୋଲିସ କହିଛି। ପୋଲିସ ଡିଆଇଜି ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ମାମଲା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ଭୁବନେଶ୍ୱର ଅଞ୍ଚଳରେ ପୋଲିସ ଟିମ୍ମାନେ ଚଢ଼ାଉ ଦେଇ ଲୁଟି ଯାଇଥିବା ସମସ୍ତ ସମ୍ପତ୍ତି ଜବତ କରିଛନ୍ତି।