ମହିଳା କନେଷ୍ଟବଳ ହତ୍ୟା ମାମଲାରେ ନବୀନଙ୍କ ତୀବ୍ର ପ୍ରତିକ୍ରିୟା, କଂଗ୍ରେସର ଘେରାଉ ଡାକରା
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରଠାରେ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ପୋଷ୍ଟରେ ସେ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ ବୋଲି କହିଛନ୍ତି। କମିସନରେଟ୍ ପୁଲିସରେ କାର୍ଯ୍ୟରତ ୨୫ ବର୍ଷୀୟ ଏହି ମହିଳା କନେଷ୍ଟବଳ ନିଖୋଜ ହେବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ମିଳିବା ଘଟଣା ରାଜ୍ୟ ପୁଲିସ୍ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏକ ପ୍ରଶ୍ନଚିହ୍ନ ବାସେଇଛି।
ଗତ ୬ ସେପ୍ଟେମ୍ବର ଦିନ ଡିସିପି ଟ୍ରାଫିକ୍ କାର୍ଯ୍ୟାଳୟରେ ଡ୍ୟୁଟି କରିସାରି ସନ୍ଧ୍ୟା ୭ଟାରେ ଶୁଭମିତ୍ରା ନିଜ ଭଡାଘରକୁ ଫେରିଥିଲେ, ଯାହାପରେ ତାଙ୍କର ମୋବାଇଲ୍ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଦୁଇ ଦିନ ଧରି ତାଙ୍କୁ ଖୋଜାନମିଳିବାରୁ ତାଙ୍କ ପିତା ୭ ସେପ୍ଟେମ୍ବରରେ କ୍ୟାପିଟାଲ୍ ଥାନାରେ ନିଖୋଜ ହେବାର ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍ କଲ୍ ଡିଟେଲ୍ସ୍ ଯାଞ୍ଚ କରି ଅଭିଯୁକ୍ତ ପ୍ରେମିକ କନେଷ୍ଟବଳ ଦୀପକ ସେଠାରୁ ଚିହ୍ନଟ ହୋଇଥିଲା। ତାଙ୍କୁ ଗିରଫ୍ କରାଯିବା ପରେ ସେ ପୁଲିସଙ୍କୁ କବୁଲିଅଛି ଯେ, ଭୁବନେଶ୍ୱରରେ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରି ତାଙ୍କ ମୃତଦେହକୁ କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳରେ ଜଙ୍ଗଲରେ ପୋତି ଦେଇଥିଲା। ଆଜି ଅପରାହ୍ନରେ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ କାର୍ ଜବତ କରାଯାଇଛି।