ବର୍ଷାରେ ଭିଜିବ ଦୁର୍ଗାପୂଜା, ଲଘୁଚାପ ସୃଷ୍ଟି ହେବାର ସମ୍ଭାଵନା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଦଶହରା ଉତ୍ସବର ଉତ୍ସାହ ବର୍ଷା ଯୋଗୁଁ ମାନ୍ଦା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ, ୧୭ରୁ ୨୧ ସେପ୍ଟେମ୍ବର ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ତୋଫାନ, ବିଜୁଳି ଓ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ହେବାର ପୂର୍ବାନୁମାନ ରହିଛି।
ଏହା ସତ୍ତ୍ୱେ, ଅକ୍ଟୋବର ୨ ତାରିଖରେ ପାଳିତ ହେବାକୁ ଥିବା ବିଜୟା ଦଶମୀ ପାଇଁ ରାଜ୍ୟରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୂଜା ପାଣ୍ଡାଲ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। କିନ୍ତୁ ବର୍ଷାର ଆଶଙ୍କା ଉତ୍ସବରେ ବାଧା ସୃଷ୍ଟି କରିପାରେ ବୋଲି ଶଙ୍କା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ମଡେଲ ଅନୁସାରେ ଆସନ୍ତା ୨୫ କିମ୍ବା ୨୬ରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨୬ ସେପ୍ଟେମ୍ବରରୁ ପାଗରେ ପରିବର୍ତ୍ତନ ଆସିବ ଓ ୨୭-୨୮ ସେପ୍ଟେମ୍ବରରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ୨୮ ସେପ୍ଟେମ୍ବରରୁ ଷଷ୍ଠୀ ପୂଜା ଆରମ୍ଭ ହେବା ହେଉଥିବାରୁ ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ଅନ୍ୟପଟେ, ବର୍ତ୍ତମାନ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଯେକୌଣସି ଲଘୁଚାପ ସୃଷ୍ଟି ହେଲେ ତାହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ। ଅତୀତରେ ଏହି ସମୟରେ ଅନେକ ବାତ୍ୟା ସୃଷ୍ଟି ହୋଇଛି, ଯେପରିକି ୨୦୧୯ରେ ‘ହୀକା’, ୨୦୨୧ରେ ‘ଗୁଲାବ’ ବାତ୍ୟା। ଏହି କାରଣରୁ ପାଣିପାଗ କେନ୍ଦ୍ର ଏହି ବିଷୟରେ ସତର୍କତା ଅବଲମ୍ବନ କରିଛି। ଝାଡ଼ଖଣ୍ଡ ଉପରେ ବର୍ତ୍ତମାନ ଥିବା ଏକ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୪ ଦିନ ଧରି ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।