ସୋରରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଆହତ
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ପୌର ପାଳିକା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ କ୍ଲିନିକର ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ, ଖଇରା ଅଞ୍ଚଳର ବାସିନ୍ଦା ଡାକ୍ତର ସ୍ୱାଇଁ ପୂର୍ବେ ସୋର ମେଡିକାଲ୍ରେ ଚାକିରୀ କରୁଥିଲେ। କିନ୍ତୁ ଚାକିରୀରୁ ସ୍ବେଛାକୃତ ଅବସର ନେଇ ସେହି ଅଞ୍ଚଳରେ କଲେଜ ଛକରେ ଏକ ଘରୋଇ କ୍ଲିନିକ ଖୋଲି ରୋଗୀ ଦେଖୁଥିଲେ।
ଆଜି ସନ୍ଧ୍ୟାରେ ଡାକ୍ତର ସ୍ୱାଇଁ ନିଜ କ୍ଲିନିକରୁ ରୋଗୀ ଦେଖି ସାରି ଘରକୁ ଯିବା ପାଇଁ କ୍ଲିନିକ ଆଗରେ ପାର୍କିଂ କରାଯାଇଥିବା ତାଙ୍କ କାର ନିକଟକୁ ଯାଉଥିବା ବେଳେ ଛଅ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ପଛରୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଦୁଇଟି କଟୁରୀରେ ତାଙ୍କ ବେକ ଓ ଶରୀରରେ ଆଘାତ କରିଥିଲେ, ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ସୋରର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଅନ୍ତର୍ଗତ ଏକ ବୃହତ୍ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଖବର ପାଇବା ପରେ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣରେ ବ୍ୟବହୃତ ହୋଇଥିବା ଦୁଇଟି କଟୁରୀ ଜବତ କରାଯାଇଛି। ଏପର୍ଯ୍ୟନ୍ତ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ ଏବଂ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ୍ ତଦନ୍ତ ଚଳାଇଛନ୍ତି।