FeaturedLatestNews

ଭୁବନେଶ୍ୱର ସହ ପ୍ରତ୍ୟେକ ଜିଲ୍ଲାରେ ହେବ ସୁଭଦ୍ରା ଶକ୍ତି ବଜାର ନିର୍ମାଣ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ସହ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସୁଭଦ୍ରା ଶକ୍ତି ବଜାର ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ବିଧାନସଭାରେ ଲିଖିତ ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ଘୋଷଣା କରିଛନ୍ତି ।

ଉପ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରରେ ଉପସ୍ଥାପନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ଭୁବନେଶ୍ୱରରେ ଏକ ସୁଭଦ୍ରା ଶକ୍ତି ବଜାର ନିର୍ମାଣ କରାଯିବ ଏବଂ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଏହାକୁ ପ୍ରତିଷ୍ଠିତ କରାଯିବ ।

ଅନ୍ୟ ଏକ ପଦକ୍ଷେପ ଲକ୍ଷପତି ଦିଦି ଯୋଜନା ସମ୍ପର୍କରେ ଦେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି । ମାତ୍ର, ଏହି ଯୋଜନା ମୁଖ୍ୟତଃ ଗ୍ରାମାଞ୍ଚଳରେ ସୀମିତ ହୋଇଥିବାରୁ ରାଉରକେଲା ଭଳି ସହରାଞ୍ଚଳରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହିଁ ।

ଏହି ସହିତ ଉନ୍ନୟନର ଅନ୍ୟ ଏକ ଦିଗ ଉଲ୍ଲେଖ କରି ଜଣାଯାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୋଟ୍ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇସାରିଛି ।