ନାରୀ ନିର୍ଯାତନା ବିରୋଧରେ ମହିଳା କଂଗ୍ରେସର ତୀବ୍ର ପ୍ରତିବାଦ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାର ଘଟଣାକୁ ନେଇ ମହିଳା କଂଗ୍ରେସ ଆଜି ତୀବ୍ର ପ୍ରତିବାଦ ପ୍ରଦର୍ଶନ କରିଛି । ଏହି ଅବସରରେ ପକ୍ଷର କର୍ମୀମାନେ ବିଧାନସଭା ଭବନ ଘେରାଉ କରିବାକୁ ଉଦ୍ୟମ କରିବାରୁ ଲୋୟର୍ସ୍ ପିଏମ୍ଜି ଅଞ୍ଚଳ ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୋଲିସ ସହ ଧକ୍କାଧକ୍କି ଏବଂ ବାରିକେଡ୍ ଭାଙ୍ଗିବାର ଦୃଶ୍ୟ ଦେଖାଯାଇଥିଲା ।
ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ ଲୋୟର୍ସ୍ ପିଏମ୍ଜିରେ ଜମା ହୋଇ ବିଧାନସଭା ଘେରାଉ କରିବାକୁ ଚାଲିଥିଲେ । ଏହି ଉଦ୍ୟମକୁ ଅଟକାଇବା ପାଇଁ ପୋଲିସ ବାରିକେଡ୍ ଲଗାଇଥିବା ବେଳେ ପ୍ରତିବାଦକାରୀମାନେ ବାରିକେଡ୍ ଭାଙ୍ଗି ରାସ୍ତାରେ ବସି ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଠେଲାପେଲି ହୋଇଥିବା ଦେଖାଯାଇଛି ।
ପ୍ରଦର୍ଶନକାରୀମାନେ ରାଜ୍ୟରେ ନାରୀ ନିର୍ଯାତନାର ବୃଦ୍ଧି ପାଉଥିବା ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ନୂତନ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି ଏବଂ ଗତ କିଛି ମାସରେ ଏହି ଧରଣର ଘଟଣା ବ୍ୟାପକ ଭାବରେ ବୃଦ୍ଧି ପାଇଛି । ସେମାନେ ‘ମୋହନ ସରକାର ମହିଳାଙ୍କ ଆଶାକୁ ଚୁରମାର କରିଛନ୍ତି’ ବୋଲି ଘୋଷଣା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସର ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ସୁରେଶ ରାଉତରାୟ ଏବଂ ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ସହିତ ଅନେକ ଗଣମାନ୍ୟବର୍ଗ ଉପସ୍ଥିତ ଥିଲେ । ଏହାପୂର୍ବରୁ ମଧ୍ୟ ମହିଳା କଂଗ୍ରେସ ଫୁଲ ପକାଇ ଅଭିନବ ଉପାୟରେ ନାରୀ ସୁରକ୍ଷା ବିଷୟରେ ସେମାନଙ୍କ ବିକ୍ଷୋଭ ପ୍ରକାଶ କରିଥିଲେ ।