ସରକାରଙ୍କ ବିରୋଧରେ ଲୋକଙ୍କ ଅନାସ୍ଥା ଭାବ ରହିଛି : ବିଜେଡି ବିଧାୟକ ଅରୁଣ ସାହୁ
ଭୁବନେଶ୍ବର (ସଂକେତ ଟିଭି): ବିଧାନସଭାରେ ସରକାରଙ୍କ ବିରୋଧରେ ଲୋକଙ୍କର ଅନାସ୍ଥା ଭାବ ରହିଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଏକଥା ପଚାରିଲେ କିଛି ବିଜେପି ବିଧାୟକଙ୍କ ନିରବତା ଓ ସ୍ମିତ ହାସ୍ୟ ଅନେକ କିଛି କହିଦେଇଥାଏ। ସେ ଦାବି କରିଛନ୍ତି ଯେ ଲୋକଙ୍କର ଅନାସ୍ଥା ଭାବ ବଢିଛି।
ଶ୍ରୀ ସାହୁ କହିଛନ୍ତି ଯେ ସରକାରୀ ଦଳ ଇଚ୍ଛା ନକରିଲେ ଆରୋପ ଲଗାଇବା ଠିକ୍ ନୁହେଁ। ସେ କହିଛନ୍ତି, “ଆମେ ସମସ୍ତେ ଦଳୀୟ ଶୃଙ୍ଖଳା ଭିତରେ ଅଛୁ। ଦଳ ଯାହା ନିଷ୍ପତ୍ତି ନେବ, ତାକୁ ମାନିବୁ। ଦଳର ନିଷ୍ପତ୍ତି ଉର୍ଦ୍ଧ୍ବରେ ଥିବାରୁ ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦିଆଯାଏ।” ତାଙ୍କ ମତରେ, ସରକାରୀ ଦଳର ନମନୀୟତା ନ ରହିଲେ ଦଳ ବିଦ୍ରୋହ ହୋଇପାରେ, ତେଣୁ ଦଳର ଶୃଙ୍ଖଳା ଭିତରେ ରହି କାର୍ଯ୍ୟ କରିବା ଜରୁରୀ।
ବିଧାୟକ ସାହୁ ଜୋର୍ ଦେଇ କହିଛନ୍ତି ଯେ ସରକାରଙ୍କ ଇଚ୍ଛା ନଥିଲେ ବି ବିରୋଧୀ ଦଳର କଥା ନ ଶୁଣିଲେ ଅଚଳବସ୍ଥା ସୃଷ୍ଟି ହେବ। ସେଥିପାଇଁ ସେ ଲୋକଙ୍କୁ ସଚେତନ ହୋଇ ଉଭୟ ସରକାର ଓ ବିରୋଧୀ ଦଳ ଉପରେ ଚାପ ପକାଇବାକୁ କହିଛନ୍ତି। ତାଙ୍କ ମତରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହେବା ଉଚିତ୍ ଏବଂ ବିରୋଧୀ ଦଳ ମଧ୍ୟ ଭାଗ ନେବାକୁ ପ୍ରସ୍ତୁତ ରହିବା ଦରକାର। ସେ କହିଛନ୍ତି, “ବିତର୍କ ନ ହେଲେ ଅବସ୍ଥାର ସୁଧାର ଆସିବ ନାହିଁ।”
ଶେଷରେ ବିଧାୟକ ସାହୁ କହିଛନ୍ତି ଯେ ରାଜ୍ୟର ଜନସାଧାରଣଙ୍କ ଉନ୍ନତି ଓ ଆଲୋଚନା ପାଇଁ ବିଧାନସଭା ଚାଲେ। ଯଦି ଏହା ନହେବ, ତେବେ ବିଧାନସଭାର କୌଣସି ମୂଲ୍ୟ ନାହିଁ। ବିଧାନସଭା ଚଳାଇବାରେ ସରକାରୀ ଦଳର ବଡ଼ ଭୂମିକା ରହିଛି, କିନ୍ତୁ ବିରୋଧୀ ଦଳ ଭାବେ ଆଲୋଚନାରେ ଭାଗ ନେବା ମଧ୍ୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।