ଦଶହରା ପର୍ବ ପୂର୍ବରୁ ଏଲପିଜି ସିଲିଣ୍ଡର ହେଲା ମହଙ୍ଗା
ନୂଆଦିଲ୍ଲୀ (ସଂକେତ ଟିଭି): ଦଶହରା ପର୍ବ ପୂର୍ବରୁ ଏଲପିଜି ସିଲିଣ୍ଡର ମହଙ୍ଗା ହେବାରେ ଆସିଛି । ଜିଏସଟି ରିହାତି ପରେ ଲୋକଙ୍କୁ ମହଙ୍ଗାର ଝଟକା ଲାଗିଛି । ୧ ଅକ୍ଟୋବର ୨୦୨୫ ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଦର ଅନୁଯାୟୀ, ୧୯ କିଲୋଗ୍ରାମ ଓଜନର କମର୍ସିଆଲ୍ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ଏହି ସିଲିଣ୍ଡରର ମୂଲ୍ୟ ୧୫.୫୦ ଟଙ୍କା ବୃଦ୍ଧି କରିଛନ୍ତି, ଯାହା ଫଳରେ ଦିଲ୍ଲୀରେ ଏହାର ଦାମ୍ ବୃଦ୍ଧି ହୋଇ ପ୍ରତିଟି ସିଲିଣ୍ଡର ୧୫୯୫.୫୦ ଟଙ୍କାରେ ପଡ଼ିବ ।
ଏହି ଚାଲିତ ଆର୍ଥିକ ବର୍ଷରେ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦାମ୍ ଏହା ପ୍ରଥମ ଥର ପାଇଁ ବୃଦ୍ଧି ପାଇଲା । ଏହି ପ୍ରକାରର ସିଲିଣ୍ଡର ସାଧାରଣତଃ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ବିବାହ ପାର୍ଟି ଭଳି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହୃତ ହୁଏ । ଏହି ନୂଆ ମୂଲ୍ୟ ବୁଧବାରରୁ ଲାଗୁ ହୋଇଛି । ତଥାପି, ସାଧାରଣ ଗ୍ରାହକଙ୍କୁ ମିଳୁଥିବା ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ଏକ ଘରୋଇ ସିଲିଣ୍ଡରର ଦାମ୍ ୮୫୩ ଟଙ୍କା ହିଁ ରହିଛି ।
ଏହି ମୂଲ୍ୟ ବୃଦ୍ଧି ଦେଶର ଅନ୍ୟ ମୁଖ୍ୟ ସହରଗୁଡ଼ିକରେ ମଧ୍ୟ ପ୍ରଭାବ ଫେଇଛି । କୋଲକାତାରେ ଏକ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡରର ଦାମ୍ ୧୭୦୦ ଟଙ୍କା ହୋଇଛି, ଯାହା ସେପ୍ଟେମ୍ବର ମାସର ଦରଠାରୁ ୧୬ ଟଙ୍କା ଅଧିକ । ମୁମ୍ବାଇରେ ଏହାର ଦାମ୍ ୧୫୩୧.୫୦ ଟଙ୍କାରୁ ବଢ଼ି ୧୫୪୭ ଟଙ୍କା ହୋଇଛି, ଯାହା ୧୫.୫୦ ଟଙ୍କା ବୃଦ୍ଧି ଦର୍ଶାଏ । ଚେନ୍ନାଇରେ ମଧ୍ୟ ସିଲିଣ୍ଡରଟି ବର୍ତ୍ତମାନ ୧୭୫୪ ଟଙ୍କାରେ ମିଳିବ, ଯାହା ଗତ ମାସ ତୁଳନାରେ ୧୬ ଟଙ୍କା ବୃଦ୍ଧି ।
ଉଲ୍ଲେଖ୍ୟ, ଶେଷ ଥର ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮ ଏପ୍ରିଲ, ୨୦୨୫ରେ ବଦଳାଯାଇଥିଲା, ଯେତେବେଳେ ଏହା ୫୦ ଟଙ୍କା ବୃଦ୍ଧି ପାଇଥିଲା । ତା’ପରଠାରୁ ଏହାର ଦର ସ୍ଥିର ଅଛି । ଏହାପୂର୍ବେ ୩୦ ଅଗଷ୍ଟ ୨୦୨୩ରେ କେନ୍ଦ୍ର ସରକାର ଘରୋଇ ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା କମାଇଥିଲେ, ଯାହା ଜନସାଧାରଣଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ଥିଲା ।
