EducationFeaturedLatestNews

ବାଲେଶ୍ବର ସମେତ ଭାରତର ୫ଟି ସ୍ଥାନରେ ଉଦଘାଟିତ ହେଲା NIELIT କେନ୍ଦ୍ର

ନୂଆଦିଲ୍ଲୀ (ସଂକେତ ଟିଭି): ନୂଆଦିଲ୍ଲୀରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟ (NDU) ପ୍ଲାଟଫର୍ମର ଉଦଘାଟନ କରିଛନ୍ତି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କୁ AI, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଭଳି ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚମାନର ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବ। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ଲାଟଫର୍ମ ଦକ୍ଷତା ଓ ନିଯୁକ୍ତି ମଧ୍ୟରେ ଥିବା ବ୍ୟବଧାନ ଦୂର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି ଅବସରରେ ମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶାର ବାଲେଶ୍ୱର ସହିତ ବିହାରର ମୁଜାଫରପୁର, ଆନ୍ଧ୍ରପ୍ରଦେଶର ତିରୁପତି, ଦମନ ଏବଂ ମିଜୋରାମର ଲୁଙ୍ଗଲେଇରେ ମୋଟ ୫ଟି ନୂତନ NIELIT କେନ୍ଦ୍ରର ଭର୍ଚୁଆଲ ଉଦ୍ଘାଟନ କରାଯାଇଛି। ମନ୍ତ୍ରୀ ବୈଷ୍ଣବ ଜଣାଇଛନ୍ତି ଯେ ଏହି କେନ୍ଦ୍ରଗୁଡ଼ିକ ଦୁର୍ଗମ ଅଞ୍ଚଳରେ ମଧ୍ୟ ଉନ୍ନତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରଦାନ କରି ଦେଶର ପ୍ରଯୁକ୍ତିଭିତ୍ତିକ ଭବିଷ୍ୟତକୁ ସମୃଦ୍ଧ କରିବ। ସେ ଆହୁରି ମଧ୍ୟ ଜୋର୍ ଦେଇ କହିଛନ୍ତି ଯେ ଶିଳ୍ପ ଅଂଶୀଦାରମାନଙ୍କ ସହ ମିଶି ପାଠ୍ୟକ୍ରମକୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଗଠନ କରାଯିବ।

ଏହି କାର୍ଯ୍ୟକ୍ରମରେ ମାଇକ୍ରୋସଫ୍ଟ, ଜେଡ଼୍ସ୍କେଲର, CCRYN, ଡିକ୍ସନ ଟେକ୍ ଓ ଫ୍ୟୁଚର କ୍ରାଇମ ଆଦି ସଂସ୍ଥାମାନଙ୍କ ସହିତ NIELIT ର ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।

ଓଡ଼ିଶାର ପ୍ରସଙ୍ଗରେ, ବାଲେଶ୍ୱରରେ ଫକୀର ମୋହନ ଗୋଲାଇରେ ଅବସ୍ଥିତ ନୂତନ NIELIT କେନ୍ଦ୍ରଟି ରାଜ୍ୟରେ ଏକ ପ୍ରଥମ ଡିଜିଟାଲ ପ୍ଲାଟଫର୍ମ ଭାବେ ଉଦ୍ଘାଟିତ ହେଲା। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବହୁବର୍ଷ ଧରି ଏହି କେନ୍ଦ୍ର ସ୍ଥାପନ ପାଇଁ ପ୍ରୟାସ କରିଥିଲେ। ଏହି କେନ୍ଦ୍ର ଉଦ୍ଘାଟିତ ହେବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ଷଡ଼ଙ୍ଗୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ଅନୁଷ୍ଠାନ ଆଗାମୀ ପିଢ଼ିକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କ ଜୀବନକୁ ସଫଳତା ଆଡ଼କୁ ଅଗ୍ରସର କରିବ। ବର୍ତ୍ତମାନ BSNL କାର୍ଯ୍ୟାଳୟ ନିକଟସ୍ଥ ଏକ ଭବନରୁ ଏହି କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହେବ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାୟୀ ଭବନ ନିର୍ମାଣ କରାଯିବ।