ଭସାଣ ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ; ଡିସିପି ସମେତ ୮ ଜଣ ଆହତ, ୬ ଗିରଫ
କଟକ (ସଂକେତ ଟିଭି): କଟକର ଦରଘାବଜାର ଅଞ୍ଚଳରେ ଶୁକ୍ରବାରରାତିରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇ ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ସହ ଏଯାଏଁ ୬ ଜଣଙ୍କୁ ଗିରଫ କରାଯାଇଛି।
ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଦରଘାବଜାର ଜେଲରୋଡ଼ ନିକଟସ୍ଥ ହାତୀପୋଖରୀ ଅଞ୍ଚଳରେ ଘଟିଥିଲା। ସୂଚନା ଅନୁଯାୟୀ, ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ଶୋଭାଯାତ୍ରା ବିସର୍ଜନ ପାଇଁ ଦେବୀଗଡ଼ ଅଭିମୁଖେ ଯାଉଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ କମିଟିର ଶୋଭାଯାତ୍ରା ତାକୁ ଅତିକ୍ରମ କରି ଆଗକୁ ଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଶୋଭାଯାତ୍ରାରେ ବାଜୁଥିବା ଗୀତକୁ ନେଇ ମଧ୍ୟ ବିରୋଧ ଉଠିଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍ ଢେଲା ଓ ପଥର ମାଡ଼ ଆରମ୍ଭ ହୋଇଥିଲା।
ଢେଲାମାଡ଼ ଏତେ ପ୍ରବଳ ଥିଲା ଯେ କଟକ ଡିସିପି ଋଷିକେଶ ଖିଲାରୀଙ୍କ ଆଖି ପତା ଫାଟି ଯାଇଥିଲା ଏବଂ ତାଙ୍କୁ ପ୍ରବଳ ରକ୍ତସ୍ରାବ ସହିତ ଅନ୍ୟ ପ୍ରାୟ ୧୫ ଜଣ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣରୁ ବାହାରି ଯିବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ଏବଂ ଅଞ୍ଚଳରେ ବିଏନ୍ଏସ୍ର ୧୬୩ ଧାରା ଜାରି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ସଂଘର୍ଷ ଯୋଗୁଁ ଝାଞ୍ଜିରମଙ୍ଗଳା ଶୋଭାଯାତ୍ରା ରାସ୍ତାରେ ଅଟକି ରହିଥିଲା ଏବଂ ଶୋଭାଯାତ୍ରାକାରୀମାନେ ରାସ୍ତା ଉପରେ ଧାରଣାରେ ବସିଯାଇଥିଲେ। ଫଳସ୍ୱରୂପ, ରାତି ସାଢେ଼ ଅଢେଇଟା ସୁଦ୍ଧା ପ୍ରାୟ ୫୦ଟି ପ୍ରତିମା ରାସ୍ତାରେ ଅଟକି ରହିଥିଲେ ଏବଂ ଭସାଣ ଶୋଭାଯାତ୍ରା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି ଏବଂ ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୋତାୟନ କରାଯାଇଛି।
