ପାର୍ଟ ପ୍ଲଟ୍ ପଞ୍ଜିକରଣ ରୋକ ହଟିବ, ନୂତନ ଏସ୍ଓପି ଜାରି
ଭୁବନେଶ୍ୱର (ସଂକେତ ଟିଭି): ନିଜ ସ୍ୱତ୍ୱସ୍ଥ ଜମି କିଣାବିକା କରିବା ଲୋକଙ୍କ ମୌଳିକ ଅଧିକାର ଅଟେ । ମାତ୍ର ଜମି କିଣାବିକା ବେଳେ ସହରୀ ଯୋଜନା ସମ୍ବନ୍ଧୀୟ ନିୟମାବଳୀକୁ ମଧ୍ୟ ନଜରରେ ରଖିବା ଜରୁରୀ । ଏହି ଦୁଇଟି ପ୍ରସଙ୍ଗକୁ ସାମନେ ରଖି କିଛି ମାସ ଧରି ବନ୍ଦ ଥିବା ପାର୍ଟ ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା ପୁନର୍ବାର ଚାଲୁ ହେବାକୁ ଯାଉଛି । ଏଥିପାଇଁ ରାଜସ୍ୱ ବିଭାଗ ତରଫରୁ ଏକ ସ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜନ୍ (ଏସ୍ଓପି) ଜାରି କରାଯାଇଛି ।
ପୂର୍ବରୁ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ନେଇ ବିଭିନ୍ନ ପଞ୍ଜିକରଣ ଅଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଥିଲା, ଯାହାଫଳରେ ପାର୍ଟ ପ୍ଲଟ୍ କିଣାବିକା ପଞ୍ଜିକରଣ ବନ୍ଦ ହୋଇଯାଇଥିଲା । ନୂତନ ଏସ୍ଓପି ଜାରି ହେବାଦ୍ୱାରା ସବ୍-ରେଜିଷ୍ଟ୍ରାରଙ୍କ ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱ ଦୂର ହୋଇପାରିବ ଏବଂ ପାର୍ଟ ପ୍ଲଟ୍ କିଣାବିକା ପ୍ରକ୍ରିୟା ସୁଗମ ଭାବରେ ଚାଲୁ ହେବ ବୋଲି ଆଶା କରାଯାଉଛି ।
ପାର୍ଟ ପ୍ଲଟ୍ କିଣାବିକା ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଗ୍ରାମାଞ୍ଚଳରେ ପାର୍ଟ ପ୍ଲଟ୍ କିଣାବିକା ପାଇଁ କୌଣସି ବିଶେଷ କଟକଣା ନାହିଁ । ତଥାପି, ଜଳାଶୟ କିସମ ଜମିକୁ ଏକାଥରେ ବିକ୍ରି କରିବା ଉପରେ ପ୍ରତିବନ୍ଧକ ରହିଛି । ଅନ୍ୟ ପକ୍ଷରେ, ସହରାଞ୍ଚଳ ଏବଂ ବିକାଶ କ୍ଷେତ୍ର ଅଧୀନରେ ଅଛି ଏମିତି ଅଞ୍ଚଳଗୁଡ଼ିକରେ ପାର୍ଟ ପ୍ଲଟ୍ କିଣାବିକା ପାଇଁ ଦୁଇଟି ଘୋଷଣାନାମା ଦେବାକୁ ପଡିବ ।
ଏଥିରୁ ଗୋଟିଏ ହେଉଛି ଯେ ଚାଷ ଜମି କେବଳ କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ହେବ । ଦ୍ୱିତୀୟଟି ହେଉଛି, ଘରବାଡ଼ି କିସମ ଜମିରେ କୌଣସି ପ୍ରକାରର ରିଏଲ ଇଷ୍ଟେଟ କାରବାର ନ କରିବା ସମ୍ବନ୍ଧୀୟ ଡିକ୍ଲାରେସନ୍ ଦେବାକୁ ପଡିବ । ଏହାସହ, ପ୍ରଥମ ଥର ପାଇଁ ୫୦୦ ବର୍ଗ ମିଟର ପର୍ଯ୍ୟନ୍ତ ଜମି ବିକ୍ରି ହେଲେ କୌଣସି ଲେ-ଆଉଟ୍ ପ୍ରଦର୍ଶନ କରିବାକୁ ପଡିବ ନାହିଁ ।
ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି ଯେ ପାର୍ଟ ପ୍ଲଟ୍ କିଣାବିକା ନେଇ ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଏହି ନୂତନ ଏସ୍ଓପି ପ୍ରଣୟନ କରାଯାଇଛି । ଏହି ପଦକ୍ଷେପଦ୍ୱାରା ପଞ୍ଜିକରଣ ପ୍ରକ୍ରିୟା ସରଳୀକୃତ ହୋଇ ଜମି କିଣାବିକାକୁ ଗତି ଦେବ ବୋଲି ଆଶା କରାଯାଉଛି ।
