୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟକାରୀ କରାଯିବ ବୋଲି ଭାରତୀୟ ନିର୍ବାଚନ କମିଶନ (ECI) ଘୋଷଣା କରିଛି। ବିହାରରେ ଏହି ଅଭିଯାନ ସଫଳ ହେବା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି।
ଏହି ପଦକ୍ଷେପକୁ ସମର୍ଥନ କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜନୈତିକ ଦୃଷ୍ଟିକୋଣରୁ କେହି କେହି ଏହାକୁ ବିରୋଧ କରିପାରନ୍ତି, କିନ୍ତୁ ଏହାର ପ୍ରକୃତ ଆବଶ୍ୟକତା ରହିଛି। ତାଙ୍କ ମତରେ, ବିଭିନ୍ନ ସମୟରେ ଭୋଟ ଦେଇଥିବା ଏବଂ ନ ଦେଇଥିବା ଲୋକଙ୍କୁ ତଦାରଖ କରିବା ଜରୁରୀ। ଯେଉଁମାନେ ଭୋଟ ଦେଇନାହାଁନ୍ତି, ସେମାନେ କାହିଁକି ଦେଇନାହାଁନ୍ତି ତାହା ମଧ୍ୟ ଜାଣିବା ଆବଶ୍ୟକ।
ମନ୍ତ୍ରୀ ହରିଚନ୍ଦନ ଆଗେ କହିଛନ୍ତି ଯେ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବାରେ ଏସଆଇଆରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଗଣତନ୍ତ୍ରର ମୂଲ୍ୟବୋଧ ବଢ଼ିବ, ମିଛ ଭୋଟର ତାଲିକା ରହିବେ ନାହିଁ ଏବଂ ସଠିକ୍ ମୂଲ୍ୟାୟନ ସମ୍ଭବ ହୋଇପାରିବ। ତାଙ୍କ ମତରେ, ଏଭଳି ପଦକ୍ଷେପକୁ ସ୍ବାଗତ କରାଯିବା ଉଚିତ।
ଏହି ସମ୍ବାଦିକ ସମ୍ମିଳନୀରେ ଜେଲ୍ ସୁରକ୍ଷା ବିଷୟଟି ମଧ୍ୟ ଉଠିଥିଲା। ଏହା ଉପରେ ମନ୍ତ୍ରୀ କହିଛନ୍ତି ଯେ ଜେଲ୍ରେ ପୂର୍ବରୁ କ୍ରମାଗତ ଭାବରେ ବିଶୃଙ୍ଖଳା ହୋଇଆସୁଥିଲା ଏବଂ ନିକଟରେ ଘଟିଥିବା ୩ ରୁ ୪ଟି ଘଟଣା ପ୍ରତି ଦୃଷ୍ଟି ଆକର୍ଷିତ କରାଯାଇଛି। ସରକାର ଏସବୁ ଘଟଣାର ଦୃଢ଼ତାର ସହିତ ମୁକାବିଲା କରୁଛନ୍ତି ବୋଲି ସେ ଜଣାଇଛନ୍ତି। ଏପରି ଘଟଣା ଆଉ ନଘଟିବା ପାଇଁ ଶତପ୍ରତିଶତ ପଦକ୍ଷେପ ନେଉଥିବା ବିଷୟଟି ମୁଖ୍ୟମନ୍ତ୍ରୀ ଜେଲ୍ ବିଭାଗକୁ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
