FeaturedGeneralLatestPolitics

ବିହାର ବିଧାନସଭା ନିର୍ବାଚନ: ମହାଗଠବନ୍ଧନର ‘ତେଜସ୍ୱୀ ପ୍ରଣ’ ଇସ୍ତାହାର ଘୋଷିତ

ପାଟନା (ସଂକେତ ଟିଭି): ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ପରିବେଶ ଗରମିଛି । ମହାଗଠବନ୍ଧନ ପକ୍ଷରୁ ଶନିବାରରେ ନିର୍ବାଚନୀ ଇସ୍ତାହାର ‘ତେଜସ୍ୱୀ ପ୍ରଣ’ ପ୍ରକାଶ ପାଇଛି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏହି ଇସ୍ତାହାରରେ ୨୦ଟି ଶପଥ ନେଇଛନ୍ତି ଏବଂ ଦାବି କରିଛନ୍ତି ଯେ ନୂଆ ସରକାର ଗଠିତ ହେଲେ ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବେ ।

ଇସ୍ତାହାରର କଭର ପେଜ୍‌ରେ ତେଜସ୍ୱୀ ଯାଦବଙ୍କ ଫଟୋ ସ୍ଥାନ ପାଇଛି । ଏହି ଘୋଷଣାପତ୍ର ଉନ୍ମୋଚନ ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଭିଆଇପି ଦଳର ମୁଖ୍ୟ ମୁକେଶ ସହନୀ ଉପସ୍ଥିତ ଥିଲେ । ଇସ୍ତାହାର ଜାରି ହେବା ପରେ ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଲେଖିଛନ୍ତି, “ଏହା ଇଣ୍ଡିଆ ମେଣ୍ଟର ସଂକଳ୍ପପତ୍ର, ପ୍ରତିଟି ସଂକଳ୍ପ ହୃଦୟରୁ ନିଆଯାଇଥିବା ଏକ ପ୍ରଣ । ଆମେ ସରକାରକୁ ଆସିଲେ ପ୍ରତିଟି ପ୍ରତିଶ୍ରୁତି ପୂରଣ କରିବାକୁ ଜୀବନ ବାଜିରେ ଲଗାଇଦେବୁ ।”

‘ତେଜସ୍ୱୀ ପ୍ରଣ’ରେ ଥିବା ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ପରିବାରରେ ଜଣେ ସଦସ୍ୟଙ୍କୁ ୨୦ ମାସ ମଧ୍ୟରେ ସରକାରୀ ଚାକିରି ଦେବାର ଲକ୍ଷ୍ୟ ରହିଛି । ଏହି ଚାକିରି ନିଶ୍ଚିତ କରିବା ପାଇଁ ୨୦ ଦିନ ମଧ୍ୟରେ ଆଇନ ପ୍ରଣୟନ କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି ।

ଅନ୍ୟାନ୍ୟ ପ୍ରତିଶ୍ରୁତିଗୁଡ଼ିକ ହେଲା: ସମସ୍ତ ଜୀବିକା ଦିଦିଙ୍କୁ ସ୍ଥାୟୀ କରାଯିବ ଏବଂ ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ମାନ୍ୟତା ଦିଆଯିବ, ଯାହାର ମାସିକ ଦରମା ୩୦ ହଜାର ଟଙ୍କା ହେବ । ସେମାନଙ୍କ ଋଣ ଉପରେ ସୁଧ ଛାଡ କରାଯିବ । ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରାଯିବ ।

ଡିସେମ୍ବର ୧ ତାରିଖରୁ ମହିଳାମାନଙ୍କୁ ମାସିକ ୨,୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ପ୍ରତି ପରିବାରକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଗରିବ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କା, ବିଧବା ଓ ବୟସ୍କଙ୍କୁ ମାସିକ ୧୫୦୦ ଟଙ୍କା ଭତ୍ତା ଦିଆଯିବ ।

ଭୂମିହୀନ କୃଷକଙ୍କୁ ଗ୍ରାମାଞ୍ଚଳରେ ୫ ଡେସିମିଲ ଏବଂ ସହରାଞ୍ଚଳରେ ୩ ଡେସିମିଲ ଜମି ମାଗଣାରେ ଦିଆଯିବ । ମନରେଗା ମଜୁରୀ ୩୦୦ ଟଙ୍କା ବୃଦ୍ଧି କରାଯିବ ଏବଂ ପୁରାତନ ପେନସନ ଯୋଜନା ପୁନର୍ଜୀବିତ କରାଯିବ । ନିଶା ନିୟନ୍ତ୍ରଣ ପାଇଁ କଠୋର ଆଇନ ଆଣାଯିବ ଏବଂ ୨୦୦୦ ଏକର ଜମିରେ ଏକ ଶିକ୍ଷାନଗରୀ ଗଠନ କରାଯିବ ।