ପୁଣି ଥରେ ସ୍ପଟ୍ ଆଡମିସନ୍ ପାଇଁ ତାରିଖ ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ସାଧାରଣ ଶିକ୍ଷା କକ୍ଷରେ ଛାତ୍ରଛାତ୍ରୀଙ୍କ ଆକର୍ଷଣ ହ୍ରାସ ପାଇଛି। ଏହି ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପୁଣି ଥରେ ସ୍ପଟ୍ ଆଡମିସନ୍ ପାଇଁ ତାରିଖ ଘୋଷଣା କରିଛି। ଏହି ପ୍ରସଙ୍ଗରେ ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ଡିସେମ୍ବର ମାସ ଯାଏଁ ନାମଲେଖା ପ୍ରକ୍ରିୟା ଚାଲିଥିଲା ଏବଂ ଚାଲିତ ବର୍ଷ ଜୁଲାଇ ମାସରୁ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ତଥାପି ବିଭିନ୍ନ ମହାବିଦ୍ୟାଳୟରେ ଅନେକ ସିଟ୍ ଖାଲି ରହି ଯାଇଛି। ସେହି ଫାଙ୍କା ସିଟ୍ ପୂରଣ କରିବା ପାଇଁ ପୁନର୍ବାର ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି।
ଶିକ୍ଷା କ୍ଷେତ୍ରରେ ଏହି ଚାଲିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷାନୀତି ଲାଗୁ ପରେ ସାଧାରଣ ଶିକ୍ଷାକୁ ଦକ୍ଷତା ଭିତ୍ତିକ ଶିକ୍ଷା ସହିତ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି। ପୂର୍ବରୁ ଯେଉଁ କାରଣରୁ ସିଟ୍ ଖାଲି ରହୁଥିଲା, ଡ୍ରପ୍ ଆଉଟ୍ ହାର ଅଧିକ ଥିଲା ଏବଂ ମୋଟ ନାମଲେଖା ହାର (GER) କମ୍ ରହୁଥିଲା, ସେଥିରେ ପରିବର୍ତ୍ତନ ଆଣିବାକୁ ଏହି ଉଦ୍ୟମ। ସାଧାରଣ ଶିକ୍ଷା ସହିତ ଦକ୍ଷତାକୁ ଯୋଡ଼ିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି, କାରଣ କେବଳ ସାଧାରଣ ଶିକ୍ଷା ଗ୍ରହଣ କରିବା ପରେ ମଧ୍ୟ ଜୀବିକା ସମ୍ଭାଳିବାରେ ଅସୁବିଧା ହେଉଥିବାରୁ ଛାତ୍ରଛାତ୍ରୀ ଏଥିରୁ ଦୂରେଇ ଯାଉଛନ୍ତି।
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଯେକୌଣସି ବିଷୟ ପଢ଼ିଲେ ବି ଛାତ୍ରଛାତ୍ରୀ ଦକ୍ଷତା ହାସଲ କରିପାରିବେ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ଲକ୍ଷ୍ୟ ନେଇ ଉଚ୍ଚ ଶିକ୍ଷା ବିଭାଗ ବିଭିନ୍ନ ସଂସ୍ଥା ସହିତ ଚୁକ୍ତି ସ୍ୱାକ୍ଷର କରୁଛି। ମନ୍ତ୍ରୀ ଜଣାଇଛନ୍ତି ଯେ ବର୍ତ୍ତମାନ ଗୋଟିଏ ସଂସ୍ଥା ୫ ହଜାର ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେଉଛି। ଏହିଭଳି ସିଙ୍ଗାପୁରର ଜାତୀୟ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ଏକ ଚୁକ୍ତି ହୋଇଛି। ସାଧାରଣ ଶିକ୍ଷାର ଚମକ କିପରି ଫେରିଆସିବ, ସେଇଥିପାଇଁ ଏସବୁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ସୂଚନା ଦେଇଛନ୍ତି।
