FeaturedLatestNews

ଅନ୍ଧାରରେ ବାଲେଶ୍ବରର ମୁଖ୍ୟରାସ୍ତା: ନେତା, ପ୍ରଶାସନ କ’ଣ ଅନ୍ଧ?

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ସହରର ମୁଖ୍ୟ ରାସ୍ତା ଦୀର୍ଘ ମାସ ଧରି ଅନ୍ଧାରରେ ରହିଛି। ଗାଁ ଗଣ୍ଡାର ରାସ୍ତାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଥିବାବେଳେ, ନୂଆସାହି ଛକଠାରୁ ଭୀମପୁରା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଦୀର୍ଘ ଦିନ ହେବ ଅନ୍ଧାରରେ ରହିଛି। ଫଳରେ ଏହି ରାସ୍ତା ଦେଇ ଗମନାଗମନ କରୁଥିବା ଲକ୍ଷ ଲକ୍ଷ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ବାଲେଶ୍ବର ସହରର ଲାଇଫ ଲାଇନ ହେଉଛି ରେମୁଣା ଗୋଲାଇ ଠାରୁ କୁରୁଡା ପର୍ଯ୍ୟନ୍ତ ରାସ୍ତା। ଏହି ରାସ୍ତାର ଦୁଇଟି ପାର୍ଶ୍ଵ ଦୁଇଟି ଭିନ୍ନ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସୁରଜ ହୋଟେଲ ଛକଠାରୁ ତାମୁଳିଆ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଖୁବ୍ ଭଲ ରହିଛି, ଯେଉଁଠି ଷ୍ଟ୍ରିଟ ଲାଇଟ୍, ଛଅ ଲେନ୍ ବିଶିଷ୍ଟ ରାସ୍ତା, ସୁନ୍ଦର ଆଲୋକ ବ୍ୟବସ୍ଥା ଏବଂ ସଫାସୁତୁରା ରହିଥାଏ। ମେସିନ ସାହାଯ୍ୟରେ ନିତି ସଫା ଏବଂ ସବୁ ସମୟରେ ମରାମତି କାର୍ଯ୍ୟ ହେଉଥିବାରୁ ଏହି ଅଂଶ ଚକଚକିଆ ରହିଛି।

ଅପର ପକ୍ଷରେ, ରେମୁଣା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନୂଆ ସାହି ଛକଠାରୁ ଭୀମପୁରା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ମାସ ମାସ ଧରି ଅନ୍ଧକାରରେ ରହିଥିବା ଏହି ରାସ୍ତାଟି ଖୁବ୍ ଅଣଓସାରିଆ ଏବଂ ଖରାପ ଅବସ୍ଥାରେ ରହିଛି। କୁଆଡେ଼ ଷ୍ଟ୍ରିଟ ଲାଇଟ୍ ଜଳୁନାହିଁ ତ କୁଆଡେ଼ ଲଗାହୋଇନାହିଁ। ରାସ୍ତାଟି ଧୁଳି-ବାଲିରେ ପୂର୍ଣ୍ଣ ହୋଇଥିବାରୁ ଦିନବେଳା ମଧ୍ୟ ଯାତାୟତ କଷ୍ଟକର ହୋଇଥାଏ। ବର୍ଷା ଦିନରେ ନୂଆସାହି ଛକଠାରେ ଅଣ୍ଟାଏ ପାଣି ଜମା ହେବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୁଏ।

ଏହି ରାସ୍ତା ଦେଇ ପ୍ରତିଦିନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯାତାୟତ କରନ୍ତି ଏବଂ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଭୀମପୁରା ଛକଠାରେ ଅବସ୍ଥିତ। ତଥାପି, ଏହି ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ଏବଂ ଆଲୋକର ଅଭାବ ସେମାନଙ୍କ ଦୃଷ୍ଟିକୁ ଆସୁନାହିଁ ବୋଲି ଲୋକଙ୍କ ମଧ୍ୟରେ ଦୁଃଖ ଓ ପରିତାପର ଭାବନା ରହିଛି।