FeaturedLatestNews

ବିଦ୍ୟୁତ ଖୁଣ୍ଟ ପଡି ନବମ ଶ୍ରେଣୀର ଛାତ୍ର ଗୁରୁତର ଆହତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ଗ୍ରାମର ଦେବାଶିଷ ବେହେରା (୧୪) ନାମକ ଜଣେ ନବମ ଶ୍ରେଣୀର ଛାତ୍ର ଗୁରୁବାର ସକାଳେ ବିଦ୍ୟୁତ ଖୁଣ୍ଟ ପଡିଯିବା ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦେବାଶିଷ ନିକଟସ୍ଥ ସରଶଙ୍ଖ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି।

ଘଟଣାଟି ଗୁରୁବାର ସକାଳେ ଟିଉସନରୁ ଫେରୁଥିବା ବେଳେ ପଞ୍ଚାୟତ ଅଫିସ ପାଖରେ ଅବସ୍ଥିତ ଗୁଲାସାହି ନିକଟରେ ଘଟିଛି। ଏଠାରେ ଏକ କୁକୁଡା ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖଣ୍ଟକୁ ଧକା ଦେଇଥିଲା। ଫଳରେ ସେହି ବିଦ୍ୟୁତ ଖୁଣ୍ଟଟି ଦେବାଶିଷଙ୍କ ସାଇକେଲ ଉପରେ ପଡ଼ିବାରୁ ତାଙ୍କର ସାଇକେଲ ଭାଙ୍ଗିଯାଇଥିଲା ଏବଂ ସେ ନିଜେ ଗୁରୁତର ଭାବେ ଆହତ ହୋଇଥିଲେ।

ଘଟଣା ସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକେ ଦେବାଶିଷଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଏବଂ ହେଲପର୍ ଘଟଣା ସ୍ଥଳ ଛାଡି ପଳାୟନ କରିଥିଲେ। ତଥାପି, ସୋର ପୁଲିସ ଉକ୍ତ ଟ୍ରକ୍କୁ ଜବତ କରି ଥାନାରେ ରଖିଛି ଏବଂ ଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି।