ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ
ବାଲେଶ୍ବର (ସଂକେତ ଟିଭି): ଶନିବାର ବିଳମ୍ବିତ ରାତିରେ ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ନିକଟରେ ଥିବା ରେଳ ଧାରଣାରେ ପଶ୍ଚିମବଙ୍ଗ ସାଲିମାରରୁ ଆସୁଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଧକ୍କାରେ ଗୋଠ ଛଡା ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜରେ ବିଚରଣ କରୁଥିବା ହାତୀଗୋଠରୁ ଏକ ଦନ୍ତା ହାତୀ ରାତି ୧୧ଟା ୩୦ ମିନିଟରେ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନର ଶକ୍ତ ଧକ୍କା ଖାଇଥିଲା ଏବଂ ଘଟଣା ସ୍ଥଳରେ ହିଁ ତାହାର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପାଇଁ ଟ୍ରେନ ମଧ୍ୟ କିଛି ସମୟ ଅଟକି ରହିଥିଲା। ଖବର ପାଇ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପଟେ, ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ସୁକଯୋଡି ଜଙ୍ଗଲର ଧାନଘେରା ଗାଁ ନିକଟରେ ଗତ ଦୁଇ ଦିନ ଧରି ଏକ ଶିମିଳିପାଳ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ରହିଛି। ହାତୀଟି ଠିକ୍ ଭାବେ ଚଳପ୍ରଚଳ କରି ପାରୁନଥିବା ବେଳେ ପ୍ରାୟ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଛି। ହାତୀଟି ନବଜାତକ ଜନ୍ମ ଦେବା ପୂର୍ବରୁ ଦେଖାଯାଉଥିବା ଅସ୍ୱାଭାବିକ ଲକ୍ଷଣ ପ୍ରଦର୍ଶନ କରୁଥିବା ଦେଖାଯାଉଛି, କିନ୍ତୁ ଏହା ଗର୍ଭବତୀ କି ନୁହେଁ ତାହା ନିଶ୍ଚିତ ହୋଇ ପାରିନାହିଁ। ହାତୀର ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ ବନବିଭାଗ ଏକ ୧୦ ଜଣିଆ ଟିମ୍ ମୋଯୁଦି ରଖିଛି ଏବଂ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସକଙ୍କୁ ଡକା ଯାଇଛି। ଅସୁସ୍ଥ ହାତୀର ଉପଯୁକ୍ତ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ତତକ୍ଷଣାତ ପଦକ୍ଷେପ ନେବା ଦାବି କରାଯାଉଛି।
ଏହି ଘଟଣା ସହିତ, ଜଳେଶ୍ଵର ରେଞ୍ଜର ରାଇବଣିଆ ବନାଞ୍ଚଳରେ ହାତୀ ଉପଦ୍ରବ ଏକ ବଡ଼ ଚିନ୍ତାର ବିଷୟ ହୋଇଛି। ଗତ ଦୁଇ ସପ୍ତାହ ଧରି ସେଠାରେ ୩୦ଟି ହାତୀ ଉପଦ୍ରବ କରୁଥିବା ବେଳେ ଗତକାଲି ୧୧ଟି ହାତୀ ମୟୁରଭଞ୍ଜ ଜିଲ୍ଲା ଆଡକୁ ଚାଲିଯାଇଛନ୍ତି। ଅବଶିଷ୍ଟ ୧୯ଟି ହାତୀ ପଶ୍ଚିମବଙ୍ଗ ଆଡକୁ ଯିବାକୁ ଚାହୁଁଥିବା ବେଳେ ସେଠାକାର ଅଧିବାସୀମାନେ ବାଟ ଛାଡୁନଥିବାରୁ ହାତୀଗୁଡିକ ଉଗ୍ର ହୋଇଉଠିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜଳେଶ୍ଵର ବନବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ସମ୍ବନ୍ଧିତ ରେଞ୍ଜ ଅଧିକାରୀଙ୍କ ସହ ଆଲୋଚନା କରିବା ଆବଶ୍ୟକ ବୋଲି ମତ ଦିଆଯାଇଛି।
