ନୂଆପଡ଼ା ଉପନିର୍ବାଚନରେ ନବୀନଙ୍କ ପ୍ରଚାର: କହିଲେ ବିଜେପି ସରକାର କାମରେ ‘ଜିରୋ’
ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନୀ ପ୍ରଚାରରେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର କୋମନା ବ୍ଲକରେ ଆୟୋଜିତ ଏକ ବିଶାଳ ସଭାକୁ ସମ୍ବୋଧିତ କରି ବିଜେପି ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କୁ କଠୋର ଭାବେ ଟାର୍ଗେଟ୍ କରିଛନ୍ତି । ତାଙ୍କ ମତରେ, ଗତ ୧୬ ମାସରେ ବିକାଶମୂଳକ କାମ ପୂରାପୂରି ବନ୍ଦ ହୋଇଯାଇଛି ଏବଂ ବିଜେପି ଜନତା ଓ ବିଜେଡି ସହିତ ବେଇମାନି କରିଛି ।
ନବୀନ ପଟ୍ଟନାୟକ ଦାବି କରିଛନ୍ତି ଯେ ବିଜେପି ସରକାର ପବ୍ଲିସିଟିରେ ହିରୋ, କିନ୍ତୁ କାମରେ ସମ୍ପୂର୍ଣ୍ଣ ଜିରୋ । ସେ ପ୍ରଶ୍ନ ଉଠାଇଛନ୍ତି ଯେ ରାଜ୍ୟର ଲୋକଙ୍କୁ ମାଗଣା ୩୦୦ ୟୁନିଟ୍ ବିଜୁଳି, ବୃଦ୍ଧଙ୍କୁ ମାସିକ ୩୫୦୦ ଟଙ୍କା ପେନସନ୍, ଚାଷୀଙ୍କୁ ସାର ଏବଂ କପା ଛଟନୀ ଭଳି ପ୍ରତିଶ୍ରୁତିଗୁଡ଼ିକ କ୍ରିୟାତ୍ମକ ହୋଇନାହିଁ । ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି ଏବଂ ମିଶନ ଶକ୍ତି କର୍ମଚାରୀଙ୍କୁ ଆଠ ମାସ ଧରି ଦରମା ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଓ ଆୟୁଷ୍ମାନ କାର୍ଡ଼ ମଧ୍ୟରେ ତୁଳନା କରି ନବୀନ ଜିଜ୍ଞାସା କରିଛନ୍ତି, “ଆପଣ କୁହନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ନା ଆୟୁଷ୍ମାନ କାର୍ଡ ଭଲ ଥିଲା?” ସେ ବର୍ତ୍ତମାନର ସରକାରକୁ ‘ନେମ ଚେଞ୍ଜର’ ବୋଲି କଟାକ୍ଷ କରିଛନ୍ତି ଏବଂ ଆଗେ ଭୋଟ ଚୋରି କରୁଥିବା ବିଜେପି ବର୍ତ୍ତମାନ ପ୍ରାର୍ଥୀ ଚୋରି କରୁଥିବା ଆକ୍ଷେପ କରିଛନ୍ତି ।
ସଭାରେ ନବୀନ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନୂଆପଡ଼ା ଜିଲ୍ଲା ଗଠନ କରିଥିବା ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ସ୍ମରଣ କରାଇଛନ୍ତି । ବିଜେଡି ସରକାରଙ୍କ ଅଧୀନରେ ବିଜୁ ଏକ୍ସପ୍ରେସବେ, ଚେକଡ୍ୟାମ, ସୁନାଦେଇ ମନ୍ଦିର ଉନ୍ନତି, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପତ୍ର ଓ ମିଶନ ଶକ୍ତି ଅଧୀନରେ ମହିଳାଙ୍କୁ ଋଣ ଯୋଗାଣ ଭଳି କାର୍ଯ୍ୟ ହୋଇଥିବା ଦାବି ସେ କରିଛନ୍ତି ।
ନବୀନ ଉପସ୍ଥିତ ଲୋକଙ୍କୁ ନଭେମ୍ବର ୧୧ ତାରିଖରେ ହେବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ତାଙ୍କ ମତରେ, ଏହି ଭୋଟ ବିଜେପି ସରକାରଙ୍କ ବିପକ୍ଷରେ ଏକ ଜବାବ ହେବ ଏବଂ ସମସ୍ତ କ୍ଷୋଭର ପ୍ରତିଶୋଧ ନେବ ।
