FeaturedLatestNews

କେନାଲରେ ଖସି ପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍

ଭୁବନେଶ୍ବର (ସଂକେତ ଟିଭି): ବିଶିଷ୍ଟ ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତି ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କଟକରେ ସୁଟିଂ ସାରି ରାତିରେ ନିଜେ ଗାଡ଼ି ଚଳାଇ ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରର କଳାଝରି ନିକଟସ୍ଥ ଦୟା (ପଶ୍ଚିମ) କେନାଲରେ ତାଙ୍କ ଗାଡ଼ି ଖସି ପଡ଼ିଥିଲା। ଖବର ଅନୁଯାୟୀ, ପ୍ରତାପ ନଗରୀରୁ ପଟିଆ ଆଡ଼କୁ ଯାତ୍ରା କରୁଥିବା ବେଳେ ରାସ୍ତାରେ ହଠାତ୍ ଏକ କୁକୁର ଆସି ପଡ଼ିବାରୁ ଗାଡ଼ିର ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା।

ଭାଗ୍ୟବଶତଃ, ଏହି ଘଟଣାରେ ଅଭିନେତା ଅଶ୍ରୁମୋଚନ ମହାନ୍ତି ଆହତ ହୋଇନାହାନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପରେ ସେ ନିଜ ସୁରକ୍ଷା ବିଷୟରେ ସୂଚନା ଦେଇଛନ୍ତି।

ଉଲ୍ଲେଖ୍ୟ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘କୁରୁକ୍ଷେତ୍ର’ (୧୯୮୮) ଜରିଆରେ ଓଲିଉଡରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ ଦୀର୍ଘ ୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି ଚକା ଆଖି ସବୁ ଦେଖୁଛି, ଆସୁଚି ମୋ କାଳିଆ ସୁନା, ସୁନାସଂସାର, ସିଂହବାହିନୀ, କିଏ କାହାର, ଧର୍ମ ସହିଲେ ହେଲା, ସୁନାପାଲିଙ୍କି, କାଶିଆ କପିଳା, ସାବିତ୍ରୀ, ମାଗୁଣିର ଶଗଡ଼ ଆଦି।

ସେ ଯାତ୍ରା ଜଗତର ଜଣେ ସଫଳ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଅଶ୍ରୁମୋଚନ ମହାନ୍ତି ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।