FeaturedLatestNews

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ 

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସ୍ପି ସମ୍ମିଳନୀ ଆରମ୍ଭ ହେବ। ଲୋକସେବା ଭବନରେ ଅବସ୍ଥିତ କନ୍ଭେନସନ ସେଣ୍ଟରରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ୍ ଅଧୀକ୍ଷକମାନେ ଯୋଗଦେବେ।

ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନାବଳୀ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରମୁଖ ଆଲୋଚନାର ବିଷୟବସ୍ତୁ ହେବ। ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ କାର୍ଯ୍ୟପନ୍ଥା ସମ୍ପର୍କରେ ମାର୍ଗଦର୍ଶନ କରିବେ। ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟକୁ ଧ୍ୟାନରେ ରଖି ତୃଣମୂଳ ସ୍ତରକୁ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ଜୋର ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ ନକରିବା ପାଇଁ ଜିଲ୍ଲାପାଳମାନଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଇଛି।

ଶିଳ୍ପାୟନକୁ ଅଗ୍ରାଧିକାର ଦିଆଯାଉଥିବାରୁ ଜମି ଅଧିଗ୍ରହଣରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ଦିଗରେ ଜିଲ୍ଲାପାଳ ଓ ଏସ୍ପିମାନେ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେ। ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଶିଳ୍ପ ଓ ମହିଳା ବିକାଶ ଆଦି ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହେବ।

୧୮ ତାରିଖ ପୂର୍ବାହ୍ନରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହେବ, ଯେଉଁଥିରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୁଝାଇବେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ଦେବେ। ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ୨୦୨୭ ସୁଦ୍ଧା ନିତିଦିନିଆ ରାସ୍ତା, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ।

୧୯ ତାରିଖରେ ଏସ୍ପିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ପୋଲିସ୍ ମহାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସ୍ୱାଗତ ଭାଷଣ ଦେବେ ଏବଂ ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ସମ୍ପର୍କୀୟ ବିଭିନ୍ନ ଦିଗ ଉପରେ ଅଭିଭାଷଣ ଦେବେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଗୁଇନ୍ଦା ରିପୋର୍ଟକୁ ଅଧିକ ସଶକ୍ତ କରିବା, ମାଓବାଦୀ ସମସ୍ୟା, ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା ନିମନ୍ତେ ଜିରୋ ଟଲେରାନ୍ସ ନୀତି ଏବଂ ନିଶା କାରବାର ମୁକାବିଲା ଆଦି ବିଷୟଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ରହିବ।

ସମ୍ମିଳନୀ ସମୟରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହିତ ଏକ ଗୋଷ୍ଠୀ ଫଟୋ ଉଠାଇବେ। ରାତ୍ରୀରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ସଚିବଗଣ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲାପାଳ ଓ ଏସ୍ପିମାନେ ରାତ୍ରିଭୋଜନରେ ଅଂଶଗ୍ରହଣ କରିବେ।

ଉଲ୍ଲେଖ୍ୟ, ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ଗତ ବର୍ଷ ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ ମାଝୀ ଏହିଭଳି ଏକ ସମ୍ମିଳନୀ ଡାକିଥିଲେ। ସେତେବେଳେ ସେ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଭୟରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ ନକରିବାକୁ ଚେତାବନୀ ଦେଇଥିଲେ।