FeaturedLatestNews

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କ୍ରୟ, ବରଗଡ଼ରେ ହେବ ପ୍ରଥମ କିଣା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆସନ୍ତା ୨୦ ନଭେମ୍ବରରୁ ଖରିଫ ଧାନ କ୍ରୟ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି । ବରଗଡ଼ ଜିଲ୍ଲାରୁ ଧାନ କିଣାକୁ ଆରମ୍ଭ କରାଯିବ । ଚଳିତ ବର୍ଷ ବିଜେପି ସରକାର କ୍ଷମତାରେ ଆସିବା ପରେ ଏହା ପ୍ରଥମ ଧାନ କ୍ରୟ ଋତୁ ହେବ ।

ଧାନ ସଂରକ୍ଷଣ ପାଇଁ ମଣ୍ଡିଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଦୁଇ ବର୍ଷର ମଧ୍ୟରେ ୧୦୦ ଟି ମଡେଲ ମଣ୍ଡି ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ଏହାଛଡ଼ା, ଚଳିତ ଆର୍ଥିକ ବର୍ଷରେ ୮୦ ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବରାଦ କରାଯାଇଛି । ଆଉ ୯୩୭ଟି ସମବାୟ ସମିତି ଏବଂ ଆରଏମସି (RMC) ରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶର କାର୍ଯ୍ୟ ଆରମ୍ଭ ହେବ ।

ସରକାର ପ୍ରତିଶ୍ରୁତି ଅନୁଯାୟୀ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ହାରରେ ଧାନ କିଣିବେ ବୋଲି ନିଶ୍ଚିତ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରକୃତ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୨,୩୦୦ ଟଙ୍କା ବ୍ୟତୀତ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ପିଛା ୮୦୦ ଟଙ୍କା ହାରରେ ଅତିରିକ୍ତ ଇନପୁଟ୍ ସବସିଡି ଦିଆଯିବ ।