ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଦେଇଥିବା ସୂଚନା ଅନୁଯାୟୀ, ମାଲାକ୍କା ସମୁଦ୍ର ସନ୍ଧିର ମଧ୍ୟଭାଗରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ସମୁଦ୍ରପତ୍ତନରୁ ଆରମ୍ଭ କରି ବାୟୁମଣ୍ଡଳର ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ରହିଛି ।
ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆକଳନ କରାଯାଇଛି । ୨୪ ନଭେମ୍ବର ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଶକ୍ତିଶାଳୀ ହୋଇପାରେ । ପାଣିପାଗ ବିଭାଗ ଏହି ପରିସ୍ଥିତି ଉପରେ କଡ଼ା ନଜର ରଖିଛି ।
