CulturalFeaturedLatestNews

ତାରିଣୀ ପୀଠ ବିକାଶ ପାଇଁ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସଂକେତ ଟିଭି): ଆଜି ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ସେ ଏକ ସ୍ଵତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଥିଲେ। ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ମା’ ତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମ୍ପନ୍ନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା’ ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରସ୍ତାବିତ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ‘ମା’ ତାରିଣୀ ପରିକ୍ରମା ସମନ୍ଵିତ ପ୍ରକଳ୍ପ’ ପାଇଁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେବ। ପାଖାପାଖି ୬୦ ଏକର ଅଞ୍ଚଳରେ ବିକାଶ କାର୍ଯ୍ୟ ହାଇବ, ଯାହାକି ମନ୍ଦିର ସଂଲଗ୍ନ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ଯାତ୍ରୀଙ୍କ ସୁବିଧାକୁ ଲକ୍ଷ୍ୟ କରି ରୂପାୟିତ ହୋଇଛି।

ପ୍ରକଳ୍ପ ଅନ୍ତର୍ଗତ ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଅହରହ ଜଳଯୋଗାଣ, ବିଦ୍ୟୁତ୍ ଓ ଆଲୋକୀକରଣ, ଡ୍ରେନେଜ୍ ସୁବିଧା, ମନ୍ଦିର ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସହ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡ଼ି ପରିଚାଳନା ଯୋଜନା ରହିଛି। ଏଥିସହ ବୃହତ୍ ଓ ଛୋଟ ପୁଷ୍କରିଣୀଗୁଡ଼ିକର ବିକାଶ ଏବଂ ଶିଶୁ ଖେଳପଡ଼ିଆ ନିକଟ ପୁଷ୍କରିଣୀକୁ ସୁଦୃଶ୍ୟ କରିବାକୁ ଯୋଜନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ମା’ ତାରିଣୀ ପୀଠରେ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଘଟଗାଁ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାକୁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକ ଓ ହିମାଂଶୁ ଶେଖର ସାହୁ ସହ ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଦି ଉପସ୍ଥିତ ଥିଲେ।