FeaturedLatestNews

ବିଧାୟକ ଦରମା ବୃଦ୍ଧି ମାମଲା: ମାମଲା ଖାରଜ କଲେ ହାଇକୋର୍ଟ

କଟକ (ସଂକେତ ଟିଭି): ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ବିରୁଦ୍ଧରେ ହାଇକୋର୍ଟରେ ଦାୟର ହୋଇଥିବା ଏକ ଜନହିତ ମାମଲାକୁ ଆଜି ଗ୍ରହଣ କରାଯାଇନାହିଁ। ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ଯୁକ୍ତି ପରେ କୋର୍ଟ ଏହି ମାମଲାକୁ ‘ପ୍ରିମାଚ୍ୟୁର’ (ଅକାଳିକ) କହି ଖାରଜ କରିଦେଇଛି।

କୋର୍ଟକୁ ଦର୍ଶାଯାଇଥିଲା ଯେ, ଦରମା ବୃଦ୍ଧି ସମ୍ବନ୍ଧୀୟ ବିଜ୍ଞପ୍ତି ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଜାରି ହୋଇନାହିଁ। ଏହି କାରଣ ଦର୍ଶାଇ କୋର୍ଟ ମତ ଦେଇଛନ୍ତି ଯେ, ବିଜ୍ଞପ୍ତି ଜାରି ନହୋଇଥିବାରୁ ଏହି ମାମଲା ଏବେ ଗ୍ରହଣୀୟ ନୁହେଁ। ତେବେ କୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି ଯେ, ଯେତେବେଳେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ, ସେ�ତେବେଳେ ସେମାନେ ପୁନର୍ବାର ମାମଲା ଦାୟର କରିପାରିବେ।

ଏହି ମାମଲାରେ ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ଓଡ଼ିଶାର ବିଧାୟକମାନଙ୍କ ଦରମା ଅନ୍ୟାନ୍ୟ ରାଜ୍ୟଠାରୁ ଅଧିକ ହୋଇଛି। ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ଏପରି ଦରମା ବୃଦ୍ଧି ରାଜ୍ୟର ଅର୍ଥନୀତି ଉପରେ ଗୁରୁତର ଚାପ ସୃଷ୍ଟି କରିବ। ବହୁ ଜିଲ୍ଲାର ଲୋକ ରୋଜଗାର ଅଭାବରେ ବାହାର ରାଜ୍ୟକୁ ପଳାଇବା ସହ ରାଜ୍ୟ ଋଣଜାଲରେ ଅଟକି ରହିଛି।

ଆବେଦନକାରୀଙ୍କ ମତରେ, ଦରମା ବୃଦ୍ଧିର ଏହି ନିଷ୍ପତ୍ତି ବେଆଇନ। ତେଣୁ ସେମାନେ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବାତିଲ୍ କରାଯାଉ ଏବଂ ଏକ ସ୍ୱାଧୀନ ପେ’ କମିସନ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଉ। କିନ୍ତୁ ବିଜ୍ଞପ୍ତି ଜାରି ନହୋଇଥିବାରୁ ହାଇକୋର୍ଟ ଆଜି ମାମଲା ଶୁଣାଣି କରିନାହିଁ।