ବାଲେଶ୍ୱରରେ ସାଂସଦ ଖେଳ ମହୋତ୍ସବ ଉଦଯାପିତ
ବାଲେଶ୍ବର (ସଂକେତ ଟିଭି): ସାରା ଦେଶର ସଂସଦୀୟ କ୍ଷେତ୍ରଗୁଡ଼ିକରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଉଦଯାପନ ଦିବସ ଆଜି ପାଳିତ ହେଲା। ୨୯ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ମହାକ୍ରୀଡା ଆୟୋଜନ ଉପଲକ୍ଷେ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡାବିତ୍ମାନଙ୍କୁ ଉଦ୍ବୋଧନ ଦେଇଥିଲେ।
ବାଲେଶ୍ୱର ଜିଲ୍ଲାର ପରମିଟ ପଡ଼ିଆରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଭାସିରେ ଯୋଗଦେଇ କ୍ରୀଡାବିତ୍ମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏବଂ ଯୁବପିଢ଼ୀକୁ କ୍ରୀଡା ଆଡ଼କୁ ଆକର୍ଷିତ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି ମହୋତ୍ସବରେ ଜିଲ୍ଲାରୁ ଜୁନିୟର ଓ ସିନିୟର ଶ୍ରେଣୀର ପ୍ରାୟ ୧,୦୦୦ କ୍ରୀଡାବିତ୍ ଅଂଶଗ୍ରହଣ କରିଥିଲେ। ଖୋ-ଖୋ, କବାଡ଼ି, ଭଲିବଲ, ଫୁଟବଲ (ବାଳକ ଓ ବାଳିକା), ମ୍ୟୁଜିକାଲ୍ ଚେୟାର, ସ୍କିପିଂ ଆଦି ୧୩ ପ୍ରକାର ଖେଳ ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନଧାରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉଦଯାପନୀ ସମାରୋହରେ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଏବଂ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବଡ଼ସାହି ବିଧାୟକ ସନାତନ ବିଜୁଳି, ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସଭନା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଆଦି ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାର କ୍ରୀଡାବିତ୍ମାନଙ୍କ ମନୋରଞ୍ଜନାତ୍ମକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଅନୁଷ୍ଠାନର ଶେଷ ଭାଗରେ ବିଜୟୀ କ୍ରୀଡାବିତ୍ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ବକ୍ତାମାନେ ତାଙ୍କ ଭାଷଣରେ ଦୃଢ଼ ରାଷ୍ଟ୍ର ଗଠନରେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ନିଷ୍ଠା ଦ୍ୱାରା କୌଣସି ସାଧାରଣ ପରିବାରର ଯୁବପିଢ଼ୀ ମଧ୍ୟ ଦେଶ ଓ ରାଜ୍ୟର ଗର୍ବ ହୋଇପାରନ୍ତି।
