FeaturedLatestNews

ଚାରି ଓଡ଼ିଆ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମିଳିବ ପଦ୍ମ ସମ୍ମାନ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବର: ଗଣତନ୍ତ୍ର ଦିବସ ପୂର୍ବରୁ ଭାରତ ସରକାର ପଦ୍ମ ପୁରସ୍କାର ୨୦୨୬ ଘୋଷଣା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୩୧ ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯିବ। ସମସ୍ତଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ନିଜେ ପୁରସ୍କାର ପ୍ରଦାନ କରିବେ।

ପଦ୍ମଶ୍ରୀ ପୁରସ୍କାର ପାଇଁ ଓଡ଼ିଶାରୁ ୪ ଜଣ ବ୍ୟକ୍ତିଙ୍କ ନାମ ଘୋଷିତ ହୋଇଛି। ସେମାନେ ହେଲେ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ମହେନ୍ଦ୍ର କୁମାର ମିଶ୍ର। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ଏହି ସମ୍ମାନ ମିଳିବ।

ପଦ୍ମ ପୁରସ୍କାର ତାଲିକାରେ ଏଥର ୫ ଜଣଙ୍କୁ ପଦ୍ମବିଭୂଷଣ, ୧୩ ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ବାଛିବା ଯାଇଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ହଳଦା ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମର ବାସିନ୍ଦା ଚରଣ ହେମ୍ବ୍ରମ ଜଣେ ବିଶିଷ୍ଟ ସାନ୍ତାଳୀ ଲେଖକ ଓ ସଂଗୀତଜ୍ଞ। ସାନ୍ତାଳୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ନିଜ ଜୀବନ ସମର୍ପିତ କରିଛନ୍ତି। ଏହି ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ଓ ମାନ୍ୟତା ଆଣି ଦେବାରେ ତାଙ୍କର ଭୂମିକା ଅତୁଳନୀୟ।

ତିନି ଦଶନ୍ଧି ଧରି ସେ ଆଦିବାସୀ ସଂସ୍କୃତି ଓ ଶିକ୍ଷା ବିକାଶ ପାଇଁ ଅନେକ ଅନୁଷ୍ଠାନ ଗଠନ କରିଛନ୍ତି। ଏହି ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ଆଦିବାସୀ ଶିଶୁମାନେ ନିଜ ପରମ୍ପରା ଓ କଳା ବିଷୟରେ ଜ୍ଞାନ ଅର୍ଜନ କରୁଛନ୍ତି।

ସାନ୍ତାଳୀ ନୃତ୍ୟ ଓ ସଂଗୀତକୁ ଜୀବନ୍ତ ରଖିବା ପାଇଁ ମଧ୍ୟ ସେ ନିରନ୍ତର ପ୍ରୟାସ କରିଛନ୍ତି, ବିଶେଷ କରି ମହିଳାମାନଙ୍କ ମଧ୍ୟରେ ଏହି ପରମ୍ପରାକୁ ଲୋକପ୍ରିୟ କରାଇବାରେ ସଫଳ ହୋଇଛନ୍ତି। ଜଣେ ରଚନାକାର ଭାବରେ ସାନ୍ତାଳୀ ସମାଜର ଜୀବନଚର୍ଯ୍ୟା, ସଂଘର୍ଷ ଓ ସୌନ୍ଦର୍ଯ୍ୟକୁ ସେ ନିଜ ଲେଖନୀରେ ଉତ୍କର୍ଷ ଭାବେ ଫୁଟାଇ ତୋଳିଛନ୍ତି। ତାଙ୍କ ଏହି ଅବିରତ ପ୍ରଚେଷ୍ଟା ଯୋଗୁଁ ସାନ୍ତାଳୀ କଳା ଓ ସଂସ୍କୃତି ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ରକ୍ଷା କରିପାରିଛି।