ଚାରିଧାମ୍ ଯାତ୍ରା ୨୦୨୬: ଏପ୍ରିଲ ୨୨ରୁ ଖୋଲିବ କେଦାରନାଥ ମନ୍ଦିରର କପାଟ
ଡେରାଡୁନ୍(ସଂକେତ ଟିଭି): ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାରନାଥ ମନ୍ଦିରର କପାଟ ଆସନ୍ତା ଏପ୍ରିଲ ୨୨ (ବୁଧବାର) ଦିନ ବୃଷ ଲଗ୍ନରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଯିବ। ଏନେଇ ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଦେଇଛି।
ମନ୍ଦିର ସମିତି ଦେଇଥିବା ସୂଚନା ଅନୁସାରେ, ବୁଧବାର (ଏପ୍ରିଲ ୨୨) ସକାଳ ୮ଟାରେ ଶୁଭ ବୃଷ ଲଗ୍ନରେ ବାବା କେଦାରନାଥଙ୍କ କପାଟ ଖୋଲାଯିବ। ଏହା ସହିତ ୬ ମାସ ଧରି ଚାଲୁଥିବା କେଦାରନାଥ ଯାତ୍ରାର ମଧ୍ୟ ଶୁଭାରମ୍ଭ ହେବ।
ସେହିପରି ଚାରଧାମ ଯାତ୍ରାର ଅନ୍ୟତମ ମୁଖ୍ୟ ଧାମ ବଦ୍ରିନାଥଙ୍କ ମନ୍ଦିର ଦ୍ବାର ଏପ୍ରିଲ ୨୩ (ଗୁରୁବାର) ଦିନ ବ୍ରହ୍ମମୁହୂର୍ତ୍ତରେ ସକାଳ ୬.୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ଏହି ଶୁଭ ତିଥିର ଘୋଷଣା ପୂର୍ବରୁ ବସନ୍ତ ପଞ୍ଚମୀ ଅବସରରେ କରାଯାଇଥିଲା।
ଅନ୍ୟପକ୍ଷରେ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଅକ୍ଷୟ ତୃତୀୟା ତିଥିରେ ଅର୍ଥାତ୍ ଏପ୍ରିଲ ୧୯ (ରବିବାର) ଦିନ ବିଧିବିଧାନ ସହକାରେ ଖୋଲିବ।
ଏହି ଚାରଧାମ ଯାତ୍ରା-୨୦୨୬ ପାଇଁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାସ୍ତା ମରାମତି, ସୁରକ୍ଷା ବ୍ୟବସ୍ଥା ଏବଂ ପଞ୍ଜିକରଣ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହା ସହିତ ହୋଟେଲ ଏବଂ ଧର୍ମଶାଳାଗୁଡ଼ିକରେ ମଧ୍ୟ ଆଡଭାନ୍ସ ବୁକିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
