ବାଂଲାଦେଶ ଶପଥ ଗ୍ରହଣରେ ସାମିଲ ହେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
ନୂଆଦିଲ୍ଲୀ(ସଂକେତ ଟିଭି): ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଶପଥଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜସ୍ୱ କାର୍ଯ୍ୟସୂଚୀ ଯୋଗୁଁ ଏହି ସମାରୋହରେ ଯୋଗ ଦେଇପାରିବେ ନାହିଁ। ବାଚସ୍ପତିଙ୍କ ସହ ବିଦେଶ ସଚିବ ବିକ୍ରମ ମିସ୍ରୀ ମଧ୍ୟ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧିମଣ୍ଡଳରେ ସାମିଲ ହେବେ।
ଫେବ୍ରୁଆରୀ ୧୭ ତାରିଖରେ ଢାକାର ରାଷ୍ଟ୍ରୀୟ ସଂସଦ ଭବନର ସାଉଥ ପ୍ଲାଜାରେ ଏହି ଭବ୍ୟ ସମାରୋହ ଆୟୋଜିତ ହେବ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳନୀର ପ୍ରସ୍ତୁତିରେ ବ୍ୟସ୍ତ ରହିବେ।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରୀ ୧୩ ତାରିଖରେ ତାରିକ ରହମାନଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ ବିଶ୍ୱର ୧୩ଟି ଦେଶର ନେତାଙ୍କୁ ଏହି ଐତିହାସିକ ସମାରୋହ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ତାଲିକାରେ ଚୀନ, ପାକିସ୍ତାନ, ସାଉଦି ଆରବ ଏବଂ ମାଲେସିଆ ଭଳି ଦେଶ ରହିଛି।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଭାରତ ପକ୍ଷରୁ ଏହି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପଠାଇବା ଦ୍ୱାରା ଦୁଇ ପଡୋଶୀ ଦେଶ ମଧ୍ୟରେ ଏକ ନୂଆ ସମ୍ପର୍କର ଶୁଭାରମ୍ଭ ହେବ। ବାଂଲାଦେଶ ଜାତୀୟତାବାଦୀ ଦଳ (ବିଏନପି) ସର୍ବଦା ଭାରତ ସହ ସନ୍ତୁଳିତ ଏବଂ ପାରସ୍ପରିକ ସମ୍ମାନଭିତ୍ତିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଆସିଛି। ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରିକ ରହମାନ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାର କୌଣସି ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ନହୋଇ ବ୍ୟାପକ ଅନ୍ତର୍ଜାତୀୟ ସହଯୋଗ ଏବଂ ବୁଝାମଣା ପାଇଁ ପ୍ରୟାସ କରିବେ।
ଏହି ଶପଥଗ୍ରହଣ ସମାରୋହକୁ ବାଂଲାଦେଶରେ ଗଣତନ୍ତ୍ରର ପୁନରାଗମନର ପ୍ରତୀକ ଭାବରେ ଦେଖାଯାଉଛି। ତାରିକ ରହମାନ ଯୁବପିଢ଼ିର ଆଶା-ଆକାଂକ୍ଷା ପୂରଣ, ଦୁର୍ନୀତି ବିରୋଧରେ କଠୋର ଅଭିଯାନ ଏବଂ ବ୍ୟାପକ ରୋଜଗାର ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଭାରତ ପାଇଁ ବାଂଲାଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପଡୋଶୀ ଦେଶ, ଯାହା ସହ ଏହାର ଐତିହାସିକ, ସାଂସ୍କୃତିକ ଏବଂ ଭୌଗଳିକ ସମ୍ପର୍କ ରହିଛି। ଓମ୍ ବିର୍ଲା ଏବଂ ବିକ୍ରମ ମିସ୍ରୀଙ୍କ ଏହି ଗସ୍ତ କାଳରେ ଦ୍ୱିପାକ୍ଷିକ ବାଣିଜ୍ୟ, ଜଳ ସମ୍ପଦ, ସୁରକ୍ଷା ସହଯୋଗ ଏବଂ ସାଂସ୍କୃତିକ ଆଦାନ-ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏହି ଆଲୋଚନା ଦକ୍ଷିଣ ଏସିଆର ଆଞ୍ଚଳିକ ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକ ନୂଆ ଦିଗ ଦେଖାଇବ।
