ବାଲେଶ୍ବର ଛାତ୍ରୀ ଆତ୍ମଦାହ ଘଟଣା : ଦିଲ୍ଲୀରେ ବର୍ଷିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ
ନୂଆଦିଲ୍ଲୀ (ସଂକେତ ଟିଭି): : ବାଲେଶ୍ୱର ଏଫଏମ୍ କଲେଜରେ ଏକ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ କଂଗ୍ରେସ ଦଳ ଦିଲ୍ଲୀରେ ରାଜ୍ୟ ସରକାର ବିରୁଦ୍ଧରେ ପ୍ରତିବାଦ ଜଣାଇଛି। ମହିଳା କଂଗ୍ରେସର ଅଧ୍ୟକ୍ଷା ଅଳକା ଲମ୍ବା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଘଟଣାକୁ ଗମ୍ଭୀର ଭାବେ ନେଇ ରାଜ୍ୟର ମହିଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଅଳକା ଲମ୍ବା କହିଛନ୍ତି ଯେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଜଣେ ଏବିଭିପି (ବିଜେପିର ଛାତ୍ର ସଂଗଠନ)ର ସକ୍ରିୟ ସଦସ୍ୟା ଥିଲେ। ଛାତ୍ରୀ ଜଣକ କଲେଜ ପ୍ରଶାସନ ଏବଂ ଏକ ଏଚଓଡିଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ କରିଥିଲେ, ମାତ୍ର ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନଦେବା ଫଳରେ ସେ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଥିଲେ। ୧୧ ଦିନ ଧରି ନ୍ୟାୟ ଦାବି କରିବା ପରେ ମଧ୍ୟ କୌଣସି ତଦନ୍ତ ନହୋଇଥିବାରୁ ସେ ମର୍ଯ୍ୟାଦା ପାଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅଳକା ଓଡ଼ିଶାରେ ବିଜେପି ସରକାରଙ୍କ ଶାସନକାଳରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଇଥିବାର ଦାବି କରିଛନ୍ତି।
ସେହିପରି, ବିଧାୟିକା ସୋଫିଆ ଫିର୍ଦ୍ଦୋସ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, “ଏହି ଘଟଣା ଓଡ଼ିଶାର ବିଫଳ ପ୍ରଶାସନିକ ବ୍ୟବସ୍ଥାକୁ ଉଜାଗର କରିଛି। ଛାତ୍ରୀଟି ନ୍ୟାୟ ପାଇଁ ସଂଘର୍ଷ କରିଥିଲେ, ମାତ୍ର ତାଙ୍କୁ ନିରାଶ ହେବାକୁ ପଡିଲା। ଏହା ଏକ ଲଜ୍ଜାଜନକ ଘଟଣା ଯାହା ରାଜ୍ୟରେ ମହିଳା ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।”
ସୋଫିଆ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବିଷୟରେ ମୋଣ ଭାଙ୍ଗି ବକ୍ତବ୍ୟ ଦେବାକୁ ଅନୁରୋଧ କରିଛନ୍ତି। ତାଙ୍କ ମତରେ, ଓଡ଼ିଶାରେ ମହିଳା ଏବଂ ଝିଅମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ସରକାରର ନୀରବତା ଚିନ୍ତାର ବିଷୟ। ଏହି ଘଟଣା ପରେ ରାଜ୍ୟରେ ମହିଳା ସୁରକ୍ଷା ନେଇ ପୁନର୍ବାର ବିବାଦ ଆରମ୍ଭ ହୋଇଛି।
