ଶୀଘ୍ର ଆସିପାରେ ଲଘୁଚାପ, ୨୪ ତାରିଖ ଯାଏ ବର୍ଷାର ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୪ ତାରିଖ ଯାଏ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୨୩ରୁ ୨୬ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ମୋଟା ବର୍ଷା ହେବା ସମ୍ଭାବନା ରହିଛି।
ପାଣିପାଗ ବିଭାଗ ୨୨ ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଜାରି କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଏବଂ ବାଲେଶ୍ୱର ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଦକ୍ଷିଣ ପଶ୍ଚିମ ମନ୍ସୁନ ପବନ ଓ ଜଳୀୟ ବାଷ୍ପ ଯୋଗୁଁ ଲଘୁଚାପ ସୃଷ୍ଟି ହେବ। ଫଳରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଆସନ୍ତା ଦୁଇ ଦିନ ସକାଳେ ଗରମ ଅନୁଭୂତ ହେବ ଏବଂ ଅପରାହ୍ନରେ ବର୍ଷା ଆରମ୍ଭ ହେବ।
୨୪ ତାରିଖ ବେଳକୁ ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ଅଛି। ଫଳରେ ୨୪ରୁ ୨୬ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ସୂଚନା ଦେଇଛି।
