ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣା: ୧୦ ଜଣ ଛାତ୍ରକୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ
ଭୁବନେଶ୍ବର (ସଂକେତ ଟିଭି): ରେଭେନ୍ସା ବିଶ୍ଵବିଦ୍ୟାଳୟର ଇଷ୍ଟ ହଷ୍ଟେଲ୍ରେ ରାଗିଂ ଘଟଣା ଘଟିଛି । ତୃତୀୟ ବର୍ଷର ଅନ୍ତେବାସୀମାନେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାତିରେ ଡାକି ଗୀତ ଗାଇବା, ନାଚ କରିବା ଏବଂ ଅଶାଳୀନ ଭାଷା ବ୍ୟବହାର କରିବାକୁ ବାଧ୍ୟ କରିଥିଲେ । ହଷ୍ଟେଲ ୱାର୍ଡେନ ଏହାକୁ ବାରଣ କରିଥିଲେ ମଧ୍ୟ, ତୃତୀୟ ବର୍ଷର ଛାତ୍ରମାନେ ତାଙ୍କ କଥା ନ ମାନି ଦୁର୍ବ୍ୟବହାର ଜାରି ରଖିଥିଲେ ।
ଘଟଣାଟି ଶନିବାର ରାତି ସାଢ଼େ ୧୨ଟାରେ ଘଟିଥିଲା । ପ୍ରଥମ ବର୍ଷର ୧୫ ଜଣ ଛାତ୍ରଙ୍କୁ ଜବରଦସ୍ତି ଡାକି ଉପରୋକ୍ତ କାର୍ଯ୍ୟ କରାଯାଇଥିଲା । ଭୟଭୀତ ହୋଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ୱାର୍ଡେନ ଏବଂ ଅନ୍ୟ ଅଧ୍ୟାପକମାନେ ଘଟଣାସ୍ଥଳକୁ ଯାଇଥିଲେ । ସେମାନେ ରାତି ୪ଟା ଯାଏଁ ହଷ୍ଟେଲ ଜଗି ରହିଥିଲେ ।
ଏହି ଘଟଣା ପରେ ରବିବାର ଦିନ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୧୦ ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଛାତ୍ରମାନେ କ୍ୟାମ୍ପସ୍ ଏବଂ କ୍ଲାସ୍ରେ ଯୋଗ ଦେଇ ପାରିବେ, କିନ୍ତୁ ହଷ୍ଟେଲ୍ରେ ରହିପାରିବେ ନାହିଁ ।
ବିଶ୍ଵବିଦ୍ୟାଳୟ ପ୍ରଶାସନ ଏହି ମାମଲାରେ ତଦନ୍ତ କରିବା ସହିତ ଆଣ୍ଟି-ରାଗିଂ କମିଟି ମାଧ୍ୟମରେ ଶୁଣାଣି କରିବେ । ଦୋଷୀ ଛାତ୍ରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସେମାନଙ୍କ ପିତାମାତାଙ୍କୁ ସୂଚନା ଦିଆଯିବ । ଏଥିସହ ହଷ୍ଟେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି ବୋଲି ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ ଜଣାଇଛନ୍ତି ।
