ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସ୍ୱାସ୍ଥ୍ୟଗତ କାରଣରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସେ ସମ୍ବିଧାନର ଧାରା ୬୭(କ) ଅନ୍ତର୍ଗତ ତତ୍କାଳୀନ ପ୍ରଭାବରେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଏହି ଘଟଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ନିଜ ଇସ୍ତଫା ପତ୍ରରେ ଧନଖଡ଼ ଲେଖିଛନ୍ତି ଯେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯତ୍ନ ଏବଂ ଡାକ୍ତରଙ୍କ ପରାମର୍ଶକୁ ପ୍ରାଥମିକତା ଦେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନ୍ତ୍ରୀମଣ୍ଡଳ ଏବଂ ସାଂସଦମାନଙ୍କଠାରୁ ପାଇଥିବା ସମର୍ଥନ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହଯୋଗକୁ ସେ “ଅମୂଲ୍ୟ” ବୋଲି କହିଛନ୍ତି।
ଗତ ଜୁନ୍ ୨୫ ତାରିଖରେ କୁମାଉଁ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଧନଖଡ଼ ଅଚେତ ହୋଇପଡିଥିଲେ। କାର୍ଯ୍ୟକ୍ରମ ସମାପ୍ତ ପରେ ସେ ତାଙ୍କ ପୂର୍ବତନ ସଂସଦୀୟ ସହଯୋଗୀ ମହେନ୍ଦ୍ର ସିଂହ ପାଲଙ୍କୁ ଆଲିଙ୍ଗନ କରିବା ସମୟରେ ଅଚେତ ହୋଇଯାଇଥିଲେ। ଏହି ଘଟଣା ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ଆରମ୍ଭ ହୋଇଥିଲା।
ଜଗଦୀପ ଧନଖଡ଼ ୨୦୨୨ ମସିହାରେ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୨ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ସେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ପରାସ୍ତ କରି ୭୨୫ ଭୋଟରୁ ୫୨୮ ଭୋଟ ପାଇଥିଲେ। ଏହାପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।

