ଡାକ୍ତରଖାନାଗୁଡ଼ିକରେ ଭିଡ଼ କମାଇବାକୁ କମ୍ୟୁନିଟି ହେଲ୍ଥ ଅଫିସରଙ୍କୁ ନିଯୁକ୍ତ କଲେ ସରକାର
ଭୁବନେଶ୍ବର (ସଂକେତ ଟିଭି): କଟକ ବଡ଼ ମେଡିକାଲ ଏବଂ କ୍ୟାପିଟାଲ ହସ୍ପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରେ ଭିଡ଼ କମାଇବାକୁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କମ୍ୟୁନିଟି ହେଲ୍ଥ ଅଫିସରମାନେ ଗ୍ରାମାଞ୍ଚଳରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକରେ ନିୟୋଜିତ ହୋଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ୬,୭୦୦ ପଞ୍ଚାୟତରେ କମ୍ୟୁନିଟି ହେଲ୍ଥ ଅଫିସରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୩ ଜଣ ଷ୍ଟାଫ୍ ରହିବେ, ଯେଉଁଥିରେ ଜଣେ କମ୍ୟୁନିଟି ହେଲ୍ଥ ଅଫିସର, ଜଣେ ମଲ୍ଟି-ପରପଜ୍ ହେଲ୍ଥ ଅଫିସର ଏବଂ ଜଣେ ୟୋଗ ଶିକ୍ଷକ ରହିବେ। ୟୋଗ ଶିକ୍ଷକ ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରଶିକ୍ଷଣ ଦେବେ।”
ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ଔଷଧ ମାଗଣାରେ ଦିଆଯାଉଛି, ଯାହା ମଧ୍ୟରେ ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗର ଔଷଧ ଅନ୍ତର୍ଭୁକ୍ତ। ଏହାସହିତ, ୧୬ ପ୍ରକାର ପରୀକ୍ଷା, ଯେପରିକି ସିକିଲସେଲ୍ ଏବଂ HIV ଟେଷ୍ଟ, ମଧ୍ୟ କରାଯାଉଛି। ସରକାର ଏହି ସେବାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଡବଲ୍ ଇଞ୍ଜିନ୍ ପଦ୍ଧତି ଅବଲମ୍ବନ କରିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, “କମ୍ୟୁନିଟି ହେଲ୍ଥ ଅଫିସରମାନେ କେବଳ ୧୨୦ ପ୍ରକାର ଔଷଧ ପ୍ରଦାନ କରିବେ, ଗାଇଡଲାଇନ୍ ଅନୁଯାୟୀ ଅନ୍ୟ କୌଣସି ଔଷଧ ଲେଖିବେ ନାହିଁ। ସରକାର ଏହି ଔଷଧଗୁଡ଼ିକର ବ୍ୟବସ୍ଥା କରିଛନ୍ତି।”
ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯିବ, ଯାହା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରି କାର୍ଯ୍ୟ କରିବ। ଏଥିରେ ଆଶା କର୍ମୀ ଏବଂ ANM ମଧ୍ୟ ଯୋଗଦାନ କରିବେ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ପୂର୍ବେ ଲୋକେ କେବଳ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରି ରୋଗ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଫଳରେ ବଡ଼ ଡାକ୍ତରଖାନାଗୁଡ଼ିକର ଚାପ କମିବ।”
