FeaturedLatestNews

ଓଆଇଏସଏଫରେ ଗଠନ ହେବ ଆଉ ୨ ବାଟାଲିଅନ: ୨୦୮୦ ନୂତନ ପଦବୀ ସୃଷ୍ଟି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଶିଳ୍ପ ସୁରକ୍ଷା ବଳକା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (OISF)ରେ ଆଉ ଦୁଇଟି ନୂତନ ବାଟାଲିଅନ ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ଦୁଇଟି ବାଟାଲିଅନ ପାଇଁ ସମୁଦାୟ ୨୦୮୦ଟି ପଦବୀ ସୃଷ୍ଟି କରାଯାଇଛି, ଯାହାର ମଧ୍ୟରୁ ୧୯୪୪ଟି ନିୟମିତ ପଦବୀ ଏବଂ ୧୩୬ଟି ଆଉଟସୋର୍ସିଂ ଭିତ୍ତିରେ ରହିଛି।

ପ୍ରସ୍ତୁତି ପୂର୍ବରୁ ରାଜ୍ୟରେ OISFର ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା, ଯାହାର ପଦବୀ ସଂଖ୍ୟା ଥିଲା ୧୮୦୭। ଚଳିତ ବର୍ଷ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ଏକ ଅତିରିକ୍ତ ବାଟାଲିଅନ ଗଠନ କରିଥିଲେ, ଯାହାଦ୍ୱାରା ବାଟାଲିଅନ ସଂଖ୍ୟା ବୃଦ୍ଧି ପାଇ ୨ ହୋଇଥିଲା ଏବଂ ପଦବୀ ସଂଖ୍ୟା ଦାଢ଼ିଲା ୨୮୪୭ରେ। ବର୍ତ୍ତମାନ ତୃତୀୟ ଓ ଚତୁର୍ଥ ବାଟାଲିଅନ ଗଠନ ପରେ OISFରେ ପଦବୀ ସଂଖ୍ୟା ୪୯୨୭କୁ ପହଞ୍ଚିବ।

ରାଜ୍ୟ ସରକାର ଶିଳ୍ପ ଖାତାର ଦ୍ରୁତ ଅଭିବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଉତ୍କର୍ଷ ଓଡ଼ିଶା ଏବଂ ‘ମେକ୍ ଇନ ଓଡ଼ିଶା ୨୦୨୫’ ପ୍ରୟାସ ଫଳରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ସ୍ଥାନଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ OISFର ବିସ୍ତାର ଆବଶ୍ୟକ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆହୁରି ଦୁଇଟି ବାଟାଲିଅନ ଗଠନକୁ ଅନୁମୋଦନ ଦେଇଛନ୍ତି।