ବୁଣାକାର ଶ୍ରମିକଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ବୁଣାକାର ଶ୍ରମିକଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି। ପୁରୁଷ ବୁଣାକାରଙ୍କ ଭତ୍ତା ୫ ହଜାର ଟଙ୍କାରୁ ବୃଦ୍ଧି କରି ୬ ହଜାର ଟଙ୍କା କରାଯାଇଛି, ଯେଉଁଥିରେ ମହିଳା ବୁଣାକାରଙ୍କ ଭତ୍ତା ୬ ହଜାରରୁ ବଢ଼ାଇ ୭ ହଜାର ଟଙ୍କା କରାଯାଇଛି।
ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଟେକ୍ସଟାଇଲ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ସରକାର ୬ଟି ନୂଆ ଟେକ୍ସଟାଇଲ ପାର୍କର ଉଦ୍ଘାଟନ କରିଛନ୍ତି। ଏହି ପାର୍କଗୁଡ଼ିକ ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ ଜିଲ୍ଲାରେ ଖୋଲାଯାଇଛି।
ରାଜ୍ୟ ସରକାର ଏହି ପ୍ରକଳ୍ପଦ୍ୱାରା ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷଣ କରିବା ସହିତ ୨୫ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ଆମର ଲକ୍ଷ୍ୟ। ଓଡ଼ିଶାର ବସ୍ତ୍ର ସମଗ୍ର ଦେଶରେ ପହଞ୍ଚିବା ଉଚିତ୍।”
ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩୩ଟି ଏମଓୟୁ (MoU) ସ୍ୱାକ୍ଷର କରିଛନ୍ତି ଏବଂ ୭୮୦୮ କୋଟି ଟଙ୍କା ପୁଞ୍ଜି ନିବେଶ ଆସିଛି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ଅପିଲ୍ କରି କହିଛନ୍ତି ଯେ ସପ୍ତାହରେ ଗୋଟିଏ ଦିନ ସମସ୍ତେ ଓଡ଼ିଶାର ବୟନ ପୋଷାକ ପରିଧାନ କରନ୍ତୁ।
