FeaturedLatestNews

ସୁବର୍ଣ୍ଣରେଖା, ବୈତରଣୀ, ଜଳକା ନଦୀର ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର (ସଂକେତ ଟିଭି): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀରେ ଆସିଥିବା ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏହା ହୋଇନାହିଁ । କିଛି କିଛି ପଞ୍ଚାୟତର ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ । ଆନୁଷଙ୍ଗିକ ସହଯୋଗ ମଧ୍ୟ ଯୋଗାଇ ଦେଇଥିଲୁ । ଉଭୟ ଜିଲ୍ଲା ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛି । ଭଦ୍ରକ ଓ ଯାଜପୁର ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଉଭୟ ଜିଲ୍ଲାର ପରିସ୍ଥିତିରେ ସୁଧାର ଆସିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବାଲେଶ୍ଵର ଜିଲ୍ଲା ହୋଇଛି ।

ଗତକାଲି ବାଲେଶ୍ଵର ଜିଲ୍ଲାରେ ଥିବା ନଦୀର ଜଳସ୍ତର ବଢି ଚାଲିଥିଲା । ଆଜି ଉପର ମୁଣ୍ଡରେ ଅର୍ଥାତ ଝାରଖଣ୍ଡରେ ବର୍ଷା ବନ୍ଧ ହୋଇଯାଇଛି । ସେହିପରି ଛତିଶଗଡ଼ରେ ବର୍ଷା ବନ୍ଧ ହୋଇଯାଇଥିବାରୁ ହୀରାକୁଦରେ ୨୦ରୁ ଅଧିକ ଗେଟ ଖୋଲିବା ଆବଶ୍ୟକ ପଡ଼ିଲେ ନାହିଁ । ହୀରାକୁଦକୁ ଜଳ ପ୍ରବେଶ କମ ଓ ନିଷ୍କାସନ ଅଧିକ ହେଉଛି । ନାରାଜ ଆଗକୁ ଯେଉଁ ଅଞ୍ଚଳରେ କ୍ଷୟକ୍ଷତି ଅଧିକ ହେବ ବୋଲି ଆକଳନ ହୋଇଥିଲା, ସେଭଳି ପରିସ୍ଥିତି ଆଉ ନାହିଁ ।”

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ସ୍ଥାନର ଲୋକ ରିଲିଫ୍ ସେଣ୍ଟରରେ ଅଛନ୍ତି । ରିଲିଫ୍ ସେଣ୍ଟରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଘରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରବର୍ତ୍ତୀ ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ବିଶୋଧନ କରାଯିବ । ବୋଲବମ ଯାତ୍ରୀଙ୍କୁ ସ୍ୱଚ୍ଛ ପାଣି, ପାଣି ଛାଡିଲେ ସାପ ଆକ୍ରମଣ ବଢେ, ତେଣୁ ଆଣ୍ଟି ଭେନମ୍ ପ୍ରତି ୧୦ କିମି ମଧ୍ୟରେ ପ୍ରସ୍ତୁତ ରଖାଯାଇଛି ।

କ୍ଷୟକ୍ଷତି ଦୁଇ ପ୍ରକାର । ବ୍ୟକ୍ତିଗତ କ୍ଷୟକ୍ଷତି ପାଣି ଛାଡିବା ପରେ ଆକଳନ ଆରମ୍ଭ କରିବୁ । ଚାଷ ଜମି କ୍ଷୟକ୍ଷତି, ଘର କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଛାଡିବା ପରେ ଏହା ମିଳିଯିବ । ଏହା ଛଡା ଅନ୍ୟ ବିଭାଗର କ୍ଷୟକ୍ଷତିର ଭରଣା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କରେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ଆକଳନ କରି ବିଭାଗ ଭରଣା କରିବ । ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଜିଲ୍ଲା ଓ ବିଭାଗଙ୍କୁ ପଠେଇ ଦେବୁ ।”

ପାଗ ଠିକ ଓ ଉପଯୋଗୀ ରହିଲେ ଆସନ୍ତାକାଲି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ କ୍ଷୟକ୍ଷତିର ନିରୀକ୍ଷଣ କରିବେ । ପାଗ ଅନୁକୂଳ ନରହିଲେ ରାଜସ୍ୱ ବିଭାଗ କ୍ଷୟକ୍ଷତି ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ମିଳିବ ସହାୟତା । ପାଗ ଅନୁକୂଳ ହେଲେ ଆସନ୍ତା କାଲି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।