ପୁଞ୍ଚର ୨୨ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାର ୨୨ ଜଣ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହି ପିଲାମାନଙ୍କ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ରାହୁଲ ନିଷ୍ପତ୍ତି ନେଇଛନ୍ତି।
ଏହି ପଦକ୍ଷେପ ମୁଖ୍ୟତଃ ସେହି ପିଲାମାନଙ୍କ ପାଇଁ ନିଆଯାଇଛି, ଯେଉଁମାନେ ଅପରେସନ ସିନ୍ଦୁର ପରେ ଲୋକ୍ ଅଫ କଣ୍ଟ୍ରୋଲ୍ (LoC) ନିକଟରେ ପାକିସ୍ତାନୀ ଗୁଳିମାଡ଼ରେ ନିଜ ପିତାମାତାଙ୍କୁ ହରାଇଛନ୍ତି। ପୁଞ୍ଚ ଗସ୍ତ ସମୟରେ ରାହୁଲ ଏହି ପ୍ରଭାବିତ ପରିବାରଗୁଡ଼ିକୁ ଭେଟି ସେମାନଙ୍କ କଷ୍ଟ ଜାଣିବାକୁ ପାଇଥିଲେ।
ପିଲାମାନଙ୍କର ଦୁଃଖଦ ପରିସ୍ଥିତି ଦେଖି ରାହୁଲ ଦଳୀୟ ପଦାଧିକାରୀଙ୍କୁ ଏପରି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁମାନଙ୍କ ଶିକ୍ଷା ଆର୍ଥିକ ସଙ୍କଟ ଯୋଗୁଁ ବନ୍ଦ ହୋଇଯାଇପାରେ। ପାକିସ୍ତାନୀ ଆକ୍ରମଣ ପରେ ପୁଞ୍ଚ ଯାଇ ସେ ସ୍କୁଲ ଅନାଥ ପିଲାମାନଙ୍କୁ ଭେଟିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।
ରାହୁଲ ଗାନ୍ଧୀ ସେହି ସମୟରେ କହିଥିଲେ, “ମୁଁ ଏହି ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟକ୍ତିଗତ ଭାବରେ କିଛି କରିବାକୁ ଚାହୁଁଛି।” ଏହାପରେ କଂଗ୍ରେସ ନେତାମାନେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପ୍ରଥମ ପର୍ଯ୍ୟାୟରେ ୨୨ ଜଣଙ୍କୁ ସାହାଯ୍ୟ ଦେବାକୁ ନିଷ୍ପତ୍ତି ନେଇଥିଲେ।
ଜମ୍ମୁ ଏବଂ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ ହମିଦ କରରା କହିଛନ୍ତି ଯେ ଏହା ରାହୁଲ ଗାନ୍ଧୀଙ୍କ ସମ୍ବେଦନଶୀଳତା ଏବଂ ସାମାଜିକ ଦାୟିତ୍ୱର ପ୍ରତୀକ। ରାଜୌରୀ ବିଧାୟକ ଇଫତିଖାର ଅହମ୍ମଦ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
