FeaturedLatestNews

ଚାଷୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳ କରାଯାଇଛି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ଚାଷୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳ କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଣାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଛନ୍ତି। ଗତ ବର୍ଷ ସମୟ ସମୟରେ ୩ ଲକ୍ଷ ୪୮ ହଜାର ଚାଷୀ ପଞ୍ଜିକୃତ ହୋଇଥିଲେ, ଯାହାକୁ ଦୃଷ୍ଟିରେ ରଖିଲେ ଏବର୍ଷ ପଞ୍ଜିକରଣରେ ବିଶେଷ ବିଳମ୍ବ ନାହିଁ।

ଏବର୍ଷ ପଞ୍ଜିକରଣ ଗତ ବର୍ଷ ଅପେକ୍ଷା ୪ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା। ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନେ ଏକ ସରଳ ସେଲ୍ଫ ଡିକ୍ଲାରେସନ୍ ଫର୍ମ ପୂରଣ କରି ପଞ୍ଜିକରଣ କରିପାରିବେ। ଯଦି ଜମି ପରିବାରର ଅନ୍ୟ ସଦସ୍ୟ (ଯେପରିକି ବାପା କିମ୍ବା ଭାଇ) ନାମରେ ରେକର୍ଡ ଅଛି, ତେବେ କେବଳ ସେହି ତଥ୍ୟ ଲେଖିବାକୁ ହେବ।

ଚାଉଳ ଉତ୍ପାଦନ ଏବଂ ବିତରଣ ବିଷୟରେ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇସାରିଛି ଏବଂ ଶୀଘ୍ର ଏହାର ସମାଧାନ ମିଳିବ। ଖରିଫ ଋତୁରେ ଧାନ ଉତ୍ପାଦନ ବୃଦ୍ଧି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଜୋରଦାର ଭାବରେ ଚାଲିଛି। ଗତ ବର୍ଷ ୭୩ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଅଧିକ ଫସଲ ଆଶା କରାଯାଉଛି।

ଇ-କେୱାଇସି ସିଷ୍ଟମ୍ ମାଧ୍ୟମରେ ଅନେକ ଅଯୋଗ୍ୟ ଚାଷୀ ଚିହ୍ନଟ ହୋଇଛନ୍ତି, ଯାହା ଫଳରେ ପଞ୍ଜିକୃତ ଚାଷୀ ସଂଖ୍ୟା କମିବାର ସମ୍ଭାବନା ରହିଛି। ତଥାପି, ଚାଷ ଯୋଗ୍ୟ ଜମି ବୃଦ୍ଧି ପାଇଥିବାରୁ ଧାନ ଏବଂ ଚାଉଳ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି। ମନ୍ତ୍ରୀ ଜଣାଇଛନ୍ତି ଯେ, ସରକାର ଯେକୌଣସି ପରିମାଣର ଫସଲ କିଣିବାକୁ ପ୍ରସ୍ତୁତ ଅଛନ୍ତି।

ଆଇରିସ୍ ସ୍କାନ୍ ସମସ୍ୟା ବିଷୟରେ ମନ୍ତ୍ରୀ କହିଛନ୍ତି ଯେ, ଇ-କେୱାଇସି ପ୍ରଣାଳୀ ମାଧ୍ୟମରେ ଚାଷୀ ଏବଂ ମଧ୍ୟସ୍ଥମାନଙ୍କୁ ଚିହ୍ନଟ କରାଯାଇପାରିବ। ଆଇରିସ୍ ସମସ୍ୟାର ସମାଧାନ ପ୍ରସ୍ତୁତିରେ ଅଛି ବୋଲି ସେ ଅଭିବ୍ୟକ୍ତି ଦେଇଛନ୍ତି।