EducationFeaturedLatestNews

ଓଟିଇଟି ପରୀକ୍ଷା ପାଇଁ ଶିଘ୍ର ନୂତନ ତାରିଖ ଘୋଷଣା କରାଯିବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ଓଡିଶା ଟିଚର୍ ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଓଡିଶା ପୁଲିସର କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ବଡ଼ ଲୋକ ଥାଆନ୍ତୁ, କୌଣସି ପ୍ରକାରର ନରମ ନୀତି ନାହିଁ ବୋଲି ପୁଲିସ କହିଛି। ଏହି ମାମଲାର ତଦନ୍ତ ଚାଲିଛି ଏବଂ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଆଗାମୀ ଦିନରେ କିପରି ସ୍ୱଚ୍ଛତା ସହିତ ପରୀକ୍ଷା ହେବ, ସେଥିପାଇଁ ଆଲୋଚନା କରାଯାଇଛି। ଶୀଘ୍ର ନୂତନ ପରୀକ୍ଷା ତାରିଖ ଘୋଷଣା କରାଯିବ। ସ୍ୱଚ୍ଛତା ସହିତ ପରୀକ୍ଷା ଦେଉଥିବା ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

୨୦୧୧ ପୂର୍ବରୁ ଯେଉଁମାନେ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ, ସେମାନଙ୍କ ପାଇଁ ଓଟିଇଟି ଆବଶ୍ୟକ ନଥିଲା। ହେଲେ, ଏନସିଟି ନିୟମ ଅନୁଯାୟୀ ସ୍ପେସିଆଲ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଥିଲା। ଏହି ପରୀକ୍ଷା ନଥିବାରୁ ଶିକ୍ଷକମାନଙ୍କ ପଦୋନ୍ନତିରେ ଅସୁବିଧା ହେଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଗତ ୨୦ ତାରିଖରେ ହେବାକୁ ଥିବା ସ୍ପେସିଆଲ ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବା ଫଳରେ ରାତିରେ ପରୀକ୍ଷା ବାତିଲ କରାଯାଇଥିଲା। ଏହାଦ୍ୱାରା ବହୁ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିନା ସୂଚନାରେ ପରୀକ୍ଷା ବାତିଲ ହେବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଲକ୍ଷ୍ୟ କରି ଆକ୍ରୋଶ ପ୍ରକାଶ କରିଛନ୍ତି। ଏହି ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି ଏବଂ ବୋର୍ଡ କାର୍ଯ୍ୟାଳୟରେ ୬ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି।