FeaturedLatestNews

ଜୟପୁରରୁ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର, କୋଟିଏ ହିତାଧିକାରୀଙ୍କୁ ଏକାଥରକେ ମିଳିବ ଟଙ୍କା

ଭୁବନେଶ୍ବର (ସଂକେତ ଟିଭି): ସୁଭଦ୍ରା ଯୋଜନା ଅନ୍ତର୍ଗତ ଅଗଷ୍ଟ ୯ ତାରିଖରେ ହିତାଧିକାରୀଙ୍କୁ ତୃତୀୟ କିସ୍ତି ଟଙ୍କା ମିଳିବ। ଜୟପୁରରୁ ଏହି ଟଙ୍କା ସରକାର ବାଣ୍ଟିବେ। ଏଥିରେ ପ୍ରାୟ କୋଟିଏ (୧ କୋଟି) ରୁ ଅଧିକ ହିତାଧିକାରୀଙ୍କୁ ଏକାଥରକେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ।

ଏହାପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୂତିବାସ ରାଉତ କହିଛନ୍ତି ଯେ, ସୁଭଦ୍ରା ସମ୍ପର୍କିତ ବିଭିନ୍ନ ଦିଗ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି।

ସୁଭଦ୍ରା ଯୋଜନାରେ ନୂତନ ହିତାଧିକାରୀଙ୍କୁ ଯୋଗ କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ସଚିବ କହିଛନ୍ତି ଯେ, ୨୧ ବର୍ଷ ବୟସ୍କ ହୋଇଥିବା ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ। ଅନ୍ୟ ପକ୍ଷରେ, ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ବୟସ୍କ ହୋଇଥିବା ଲୋକେ ଯୋଜନାରୁ ବାଦ ପଡ଼ିବେ।

ରାଜ୍ୟରେ ସୁଭଦ୍ରା ଯୋଜନାର ସମୀକ୍ଷା କାର୍ଯ୍ୟ ଜାରି ରହିଛି। ଗତ ୧୨ ଦିନ ଧରି ବିଭିନ୍ନ ଜିଲ୍ଲାରେ ଏହି ସମୀକ୍ଷା ଚାଲିଛି। ମହିଳା ଓ ଶିଶୁ ବିକାଶ ବିଭାଗର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଗତକାଲି ସୁଦ୍ଧା ୭ ହଜାର ହିତାଧିକାରୀଙ୍କ ମତାମତ ସଂଗ୍ରହ କରାଯାଇଛି। ଆଗାମୀ ୧୮ ଦିନରେ ମୋଟ ୨୨ ହଜାର ସୁଭଦ୍ରାଙ୍କ ମତାମତ ନେବାକୁ ଲକ୍ଷ୍ୟ ରଖାଯାଇଛି।

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ପ୍ରାୟ ୨ ଲକ୍ଷ ମହିଳାଙ୍କୁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ। ସରକାର ତଥ୍ୟ ପୁନର୍ବାର ଯାଞ୍ଚ କରି ଯୋଗ୍ୟ ବ୍ୟକ୍ତିଙ୍କୁ ଟଙ୍କା ପ୍ରଦାନ କରିବେ। ଏହା ସହିତ, ଅଙ୍ଗନବାଡ଼ି ସ୍ତରରେ ଯୋଜନାର ପ୍ରଭାବ ମନିଟରିଂ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।