ପୁରୀର ପ୍ରତି ପଞ୍ଚାୟତରେ ହେବ ଜଗନ୍ନାଥ ବାଟିକା
ପୁରୀ (ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ୭୬ତମ ବନ ମହୋତ୍ସବ ନିମାପଡ଼ାର ହଂସପଡ଼ା ଆଦର୍ଶ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ଜଗନ୍ନାଥ ବାଟିକାର ଶୁଭାରମ୍ଭ କରିଛନ୍ତି। ପୁରୀ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜଗନ୍ନାଥ ବାଟିକା ସ୍ଥାପିତ ହେବ ବୋଲି ଘୋଷଣା କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଆଗାମୀ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପୁରୀ ଜିଲ୍ଲାରୁ ଯୋଗାଇ ହେବ। ଏହି ଉଦ୍ୟମ ଜଗନ୍ନାଥ ସଂସ୍କୃତି ସହ ପରିବେଶ ସୁରକ୍ଷାକୁ ମଧ୍ୟ ପ୍ରୋତ୍ସାହିତ କରିବ।
ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିଡ଼ା ଛାତ୍ରଛାତ୍ରୀଙ୍କୁ ବୃକ୍ଷର ମହତ୍ତ୍ୱ ବିଷୟରେ ଜାଗରୁକ କରିଥିଲେ। ସେ ବିଦ୍ୟାଳୟ ପରିସରରେ ଅଧିକ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପୁରୀ ବନଖଣ୍ଡ ଅଧିକାରୀ ମଗଦ ଧନୋଜି ରାସୋ, ଆଦର୍ଶ ବିଦ୍ୟାଳୟ ଅଧକ୍ଷ ବାପି ମାଝୀ, ସ୍ଥାନୀୟ ସରପଞ୍ଚ ତପନ ମଲ୍ଲିକଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଉପସ୍ଥିତ ଥିଲେ।
