ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫ୍ଲାଗ୍ ଅଫ୍ କରି ଏକ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ୟୁ.ଏନ. ମାଇଗ୍ରେସନ୍, ଏଇଡ଼ ଏଟ୍ ଆକ୍ସନ୍ ଏବଂ ମାଇଗ୍ରେସନ୍ ମଲ୍ଟି-ପାର୍ଟନର୍ ଟ୍ରଷ୍ଟ ଫଣ୍ଡର ସହଯୋଗରେ ଆୟୋଜିତ ହୋଇଛି।
ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ଯେ, ଚାଷ କାମ ସରିବା ପରେ ରାଜ୍ୟ ଓ ଦେଶ ବାହାରକୁ କାମ ଖୋଜିବାକୁ ଯାଉଥିବା ଶ୍ରମିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ମାନସିକ ଚାପରେ ପଡ଼ନ୍ତି। ଏହି କେନ୍ଦ୍ର ମାଧ୍ୟମରେ ପ୍ରବାସୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପ୍ରଥମ ଫସଲ ଉତ୍ପାଦନ ପରେ ଚାଷୀମାନେ ଦ୍ୱିତୀୟ ଚାଷ ପାଇଁ ଚିନ୍ତିତ ହୁଅନ୍ତି, ଯାହା ଫଳରେ ସେମାନେ ବାହାରକୁ ପ୍ରବାସ କରିବାକୁ ବାଧ୍ୟ ହୁଅନ୍ତି। ଏହି ସମସ୍ୟାର ସମାଧାନ ପାଇଁ କୃଷି କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ସରକାର ଚେଷ୍ଟା କରୁଛନ୍ତି।
ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହିଛନ୍ତି ବୋଲି ଉଲ୍ଲେଖ କରି ସିଂହଦେଓ ଜଣାଇଛନ୍ତି ଯେ, ଆଗାମୀ ଦିନଗୁଡ଼ିକରେ ସେଠାରେ ମଧ୍ୟ ଏପରି ସାଧନ କେନ୍ଦ୍ର ଖୋଲାଯିବ। ଏହା ପ୍ରବାସୀମାନଙ୍କୁ ସୁରକ୍ଷା ଏବଂ ସମ୍ମାନର ସହିତ ଜୀବିକା ନିର୍ବାହରେ ସହାୟକ ହେବ ବୋଲି ଆଶା କରାଯାଉଛି।
